ରୋମାଣ୍ଟିକ୍ କମେଡି ‘ଜୋର୍ କା ଝଟକା’

ଓଲିଉଡ୍ କମେଡିଆନ୍ ହରି ଦର୍ଶକଙ୍କୁ ହସେଇ ହସେଇ ବେଦମ୍ କରିଦେବେ। ହଁ, କେବଳ ହସେଇବେ କହିଲେ ଢେର୍ ହେବନି। ଫିଲ୍ମର କଥାବସ୍ତୁରେ ସେ ଏକ ନିଆରା ତଥା ଗୁରୁତ୍ୱପୂର୍ଣ୍ଣ ଚରିତ୍ର ନିର୍ବାହ କରୁଥିବା ଦେଖିବାକୁ ମିଳିବେ। ଅନ୍ୟ ଅନେକ ସିନେମା ଭଳି ଏ ଫିଲ୍ମରେ ତାଙ୍କ ଚରିତ୍ରଟି ଅଳ୍ପ ସମୟର ନୁହେଁ କିମ୍ବା କେବଳ ହାସ୍ୟରସ ଭିତରେ ଅଦୌ ସୀମିତ ନୁହେଁ। ତାଙ୍କୁ ସାଥ୍ ଦେବେ ଅନ୍ୟତମ ହାସ୍ୟାଭିନେତା ପ୍ରଜ୍ଞା। ଉଭୟେ ଏ ଫିଲ୍ମର କାହାଣୀରେ ନୂଆ ନୂଆ ଟ୍ୱିଷ୍ଟ ଆଣିବେ।

କାହାଣୀର ମୋଡ଼ ବଦଳେଇବେ ଆଉ ଦର୍ଶକଙ୍କ ଉତ୍କଣ୍ଠା ବଢ଼ାଇବେ। ନିର୍ମାଣ ଚାଲିଥିବା ଏ ଚଳଚ୍ଚିତ୍ରର ନାଁ ରଖାଯାଇଛି ‘ଜୋର୍ କା ଝଟକା’। ଫିଲ୍ମର କହାଣୀ ଏମିତି ଯେ, ଏଥିରେ ଜଣେ କେହି ମେଲ୍ ଲିଡ୍ ବା ମୁଖ୍ୟ ନାୟକ ନାହାନ୍ତି। କାହାଣୀ ଅନୁସାରେ, ସମସ୍ତ କଳାକାର ନିଜ ନିଜ ସ୍ଥାନରେ ଜଣେ ଜଣେ ହିରୋ।

ହରି ଓ ପ୍ରଜ୍ଞାଙ୍କୁ ବାଦ୍ ଦେଲେ ଅନ୍ୟ ଯେଉଁମାନେ ଏ ଫିଲ୍ମରେ ଦେଖିବାକୁ ମିଳବେ ସେମାନେ ହେଲେ ଦୀପକ, ପିଙ୍କି, ମିହିର ଦାସ, ଶ୍ରୀତମ, ପ୍ରଦ୍ୟୁମ୍ନ ଲେଙ୍କା, ତୃପ୍ତି ସିହ୍ନା, ପ୍ରତିଭା ପଣ୍ଡା, ଗୁଡୁ ଓ ଶଙ୍କର। ମୁଖ୍ୟତଃ ରୋମାଣ୍ଟିକ୍ କମେଡିକୁ ନେଇ ଏହାର କାହାଣୀ ଗତିଶୀଳ।

ଶିବାନୀ ଫିଲ୍ମସ୍ ବ୍ୟାନରରେ ପ୍ରସ୍ତୁତ ଏ ଫିଲ୍ମର ପ୍ରଯୋଜକ ଶିବାନୀ ବେହେରା ଓ ଅଶୋକ କୁମାର ବେହେରା। ଚିତ୍ରନାଟ୍ୟ ଲେଖିବା ସହ ନିର୍ଦ୍ଦେଶନା ଦେଇଛନ୍ତି ପିନୁ ନାୟକ। କାହାଣୀ ଲେଖିଛନ୍ତି ଶିବାନୀ ବେହେରା। ଡଃ ନିର୍ମଳ ନାୟକ ସଂଳାପ ଓ ଗୀତ ରଚନା କରିଛନ୍ତି। ଗୀତଗୁଡ଼ିକୁ ସଂଗୀତରେ ସଜାଇଛନ୍ତି ଅଭିଜିତ ମଜୁମଦାର। ବିଭିନ୍ନ ଗୀତରେ ହ୍ୟୁମାନ ସାଗର, ସତ୍ୟଜିତ, ତାରିକ ଅଜିଜ, ମଣ୍ଟୁ ଛୁରିଆ, ଆଶୁତୋଷ, ଲିପ୍ସା ମହାପାତ୍ର ପ୍ରମୁଖଙ୍କ କଣ୍ଠସ୍ୱର ଶୁଣିବାକୁ ମିଳିବ।