ଜୁନିୟର୍ ମହିଳା ବିଶ୍ୱକପ୍‌ରୁ ରୋମାଙ୍କ ଇସ୍ତଫା

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ବର୍ଷ ଭାରତରେ ହେବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ ଓ ଏଏଫ୍‌ସି ମହିଳା ଏସିଆନ୍ କପ୍ ସକାଶେ ଟୁର୍ଣ୍ଣାମେଣ୍ଟ୍ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଥିବା ରୋମା ଖାନ୍ନା ଶନିବାର ଏହି ପଦରୁ ଇସ୍ତଫା ଦେଇଛନ୍ତି। ଏପରି ନିଷ୍ପତ୍ତି ନେବା ପଛରେ କେବଳ ତାଙ୍କର ବ୍ୟକ୍ତିଗତ କାରଣ ରହିଛି ବୋଲି ରୋମା ସ୍ପଷ୍ଟ କରିଛନ୍ତି। ଗତ ୨୦୧୯ରେ ୧୭ ବର୍ଷରୁ କମ୍ ଫିଫା ବିଶ୍ୱକପ୍‌ରେ ରୋମା ଉତ୍ତମ ଭାବେ ନିଜ ଦାୟିତ୍ୱ ସମ୍ପାଦନ କରିଥିଲେ।

ପରବର୍ତ୍ତୀ ସମୟରେ ତାରଙ୍କୁ ସ୍ଥାନୀୟ ଆୟୋଜକ କମିଟି (ଏଲ୍‌ଓସି) ପକ୍ଷରୁ ଟୁର୍ଣ୍ଣାମେଣ୍ଟ୍ ନିର୍ଦ୍ଦେଶିକା ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ମଧ୍ୟ ଆସନ୍ତା ବର୍ଷ ଜାନୁଆରୀରେ ହେବାକୁ ଥିବା ଏଏଫ୍‌ସି ମହିଳା ଏସିଆନ୍ କପ୍ ପାଇଁ ମଧ୍ୟ ତାଙ୍କର ଭୂମିକା ବେଶ୍ ସୁଚାରୁ ରୁପେ ତୁଲାଇ ଆସିଥିଲେ। ଟୁର୍ଣ୍ଣାମେଣ୍ଟ୍ ନିର୍ଦ୍ଦେଶିକା ଭାବେ ତାଙ୍କ ଉପରେ ଭରସା ପ୍ରକଟ କରିଥିବାରୁ ରୋମା ଉଭାୟ ଫିଫା ଓ ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫ୍‌ଏଫ୍‌)କୁ ଧନ୍ୟବାଦ ଦେଇଛନ୍ତି।

ସେହିପରି ଆସନ୍ତା ବର୍ଷ ଭାରତରେ ମହିଳା ଫୁଟବଲ୍ ଖେଳାଳିଙ୍କ ସକାଶେ ମହାକୁମ୍ଭ ଆୟୋଜିତ ହେବାକୁ ଯାଉଥିବା ବେଳେ ଏଥିରେ ସେ ଭାରତୀୟ ଦଳକୁ ପ୍ରୋତ୍ସାହିତ କରିବାରେ ସାମାନ୍ୟତମ ଅବହେଳା କରିବେ ନାହିଁ ବୋଲି ରୋମା କହିଛନ୍ତି। ସେହିପରି ଏଆଇଏଫ୍‌ଏଫ୍ ମହାସଚିବ କୁଶାଲ୍ ଦାସ ମଧ୍ୟ ରୋମାଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି। ନାନାଦି କ୍ଷେତ୍ରରେ ରୋମା ଭାରତୀୟ ଫୁଟବଲ ପ୍ରତି ତାଙ୍କର ଅବଦାନ ଦେବା ସହ ଭାରତୀୟ ଫୁଟବଲର ବିକାଶରେ ତାଙ୍କର ଅନନ୍ୟ ଭୂମିକା ରହିଥିବାରୁ ଏଥିପାଇଁ ରୋମାଙ୍କୁ ଧନ୍ୟବାଦ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ବାସ୍ତବରେ ଗତ ବର୍ଷ ଭାରତରେ ନଭେମ୍ବର ୨ରୁ ୨୧ ତାରିଖ ପର୍ଯ୍ୟନ୍ତ ୧୯ ବର୍ଷରୁ କମ୍ ମହିଳା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାର ଥିଲା। କିନ୍ତୁ କୋଭିଡ୍ ସଂକ୍ରମଣ କାରଣରୁ ଏହା ସମ୍ଭବପର ହୋଇନପାରିବାରୁ ଏହାକୁ ଆସନ୍ତା ୨୦୨୨କୁ ଘୁଞ୍ଚାଇ ଦିଆଯାଇଛି।