ସିସିଟିଭି ଫୁଟେଜ ଆଧାରରେ ଧରାପଡ଼ିଲେ ଲୁଟେରା

ବଲାଙ୍ଗିର,ଏନ୍ଏନ୍ଏସ୍: ଲକଡାଉନ ସମୟରେ ବଲାଙ୍ଗିର ସହରରେ ଲୁଟପାଟ ବଢ଼ି ଚାଲିଥିବାବେଳେ ସିସିଟିଭି ଫୁଟେଜ ଆଧାରରେ ଲୁଟେରାଙ୍କୁ ଧରିବାରେ ପୁଲିସ ସଫଳ ହୋଇଛି। ତେବେ ଏଥିରେ ସାମିଲ ଥିବା ୬ ଜଣ ଲୁଟେରାଙ୍କ ମଧ୍ୟରୁ ୪ଜଣଙ୍କୁ ଟାଉନ ଥାନା ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଲୁଟେରାମାନେ ହେଲେ ଟାଉନ ଥାନା ଅନ୍ତର୍ଗତ ବିଭୂତିପଡ଼ାର ରାକେଶ ଭୋଇ(୨), ଗୌତମ ସୁନା(୨୫), ଚିମନିଭାଟି ପଡ଼ାର ସିତୁ ବନଛୋର(୩୦) ଓ ବିକାଶ ବୁଡ଼େକ(୨୧)। ସେମାନଙ୍କ ନିକଟରୁ ପୁଲିସ ଏକ ବାଇକ ସହ ୨ ହଜାର ଟଙ୍କା ଜବତ କରିଛି।
ପୁଲିସର ସୂଚନାନୁଯାୟୀ, ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବଡ଼ଖମାର ଗାଁର ସଚ୍ଚିଦାନନ୍ଦ ସେଟ୍ଟୀ ଜୁଲାଇ ୩୧ ତାରିଖ ଦିନ ଦେଢ଼ଟା ସମୟରେ କୌଣସି କାମରେ ବଲାଙ୍ଗିର ସହର ମହିଳା ମହାବିଦ୍ୟାଳୟ ରାସ୍ତା ଦେଇ ଯାଉଥିଲେ । ସେହି ସମୟରେ କିଛି ଯୁବକ ଆସି ସଚ୍ଚିଦାନନ୍ଦଙ୍କୁ ଅଟକାଇ ଭୂଜାଲି ମୁନରେ ତାଙ୍କ ନିକଟରୁ ୧୭ ହଜାର ୯୦୦ ଟଙ୍କା ସହିତ ଏକ ମୋବାଇଲ ଲୁଟି ନେଇଥିଲେ। ଘଟଣା ପରେ ସଚ୍ଚିଦାନନ୍ଦ ଆସି ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଲୁଟ ହୋଇଥିବା ସ୍ଥାନ ନିକଟରେ ଥିବା ସିସିଟିଭିରୁ ପୁଲିସ ଲୁଟେରାମାନଙ୍କୁ ଚିହ୍ନଟ କରିଥିଲା। ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।