ଗଞ୍ଜେଇ ମାଫିଆଙ୍କ ଟାର୍ଗେଟରେ ପୁଲିସ୍ ! ଗଛପକାଇ ରାସ୍ତା ଅବରୋଧ

ଫୁଲବାଣୀ,ଗୋଛାପଡ଼ା,ଏନ୍ଏନ୍ଏସ୍: ମାଓବାଦୀଙ୍କ ସହିଦ ସପ୍ତାହ ଆଜିଠାରୁ ଆରମ୍ଭ ହୋଇଛି। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହକୁ ମାଓବାଦୀମାନେ ପାଳନ କରିବେ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାର ସୀମାରେ ଥିବା ରାସ୍ତାରେ ଜିଲ୍ଲା ପୁଲିସ ପକ୍ଷରୁ ନାକାବନ୍ଦି କରାଯାଇ ଜିଲ୍ଲାକୁ ଆସୁଥିବା ଏବଂ ବାହାରକୁ ଯାଉଥିବା ସମସ୍ତ ଗାଡିମଟରକୁ ଯାଞ୍ଚ ଆରମ୍ଭ ହୋଇଛି।
ଅନ୍ୟପଟେ ବର୍ତ୍ତମାନ ଜିଲ୍ଲାରେ ବିଭିନ୍ନ ଥାନା ଅଞ୍ଚଳରୁ ବେଆଇନ ଗଞ୍ଜେଇ କଟା ଅଭିଯାନ ଚାଲିଥିବାବେଳେ ଏବେ ଗଞ୍ଜେଇ ମାଫିଆଙ୍କ ଟାର୍ଗେଟରେ ପୁଲିସ୍ ଥିବା ଖବର ମିଳିଛି। ଆଜି ଗୋଛାପଡ଼ା ପୁଲିସ୍ କଟ୍ରିଙ୍ଗିଆ ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ବେଆଇନ ଲାବେ ଲାଗିଥିବା ଗଞ୍ଜେଇ ଗଛକାଟି ଫେରୁଥିବାବେଳେ ଦୁବୃର୍ତ୍ତମାନେ ଉରୁମାଗଡ଼ ଘାଟିରେ ଏକ ଗଛକାଟି ରାସ୍ତା ଅବରୋଧ କରିଥିଲେ। ଏହା ମାଓବାଦୀଙ୍କ କାମ ନା ଗଞ୍ଜେଇ ମାଫିଆ ମାନଙ୍କର କାମ ତାହା ପୁଲିସ୍ ପାଇଁ ଚିନ୍ତାବଢାଇଛି। ତେବେ ବହୁ ସତର୍କତା ସହିତ ସିଆରପିଏଫ୍ ଜବାମାନେ ଉକ୍ତ ଗଛକୁ ରାସ୍ତାରୁ ହଟାଇଥିବା ଖବର ମିଳିଛି।