ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁରୁ ତିଆରି ହେବ ରାସ୍ତା

ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍ୱଚ୍ଛ ପରିବେଶ ବିକାଶ ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ରାଜ୍ୟରେ ସୃଷ୍ଟି ହେଉଥିବା ପ୍ଲାଷ୍ଟିକ୍ ବର୍ଜ୍ୟର ଉପଯୁକ୍ତ ପରିଚାଳନା ଉପରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଗୁରୁତ୍ୱ ଆରୋପ କରିଛନ୍ତି। ଏଥିପାଇଁ ବୁଧବାର ରାଜ୍ୟ ଲୋକସେବା ଭବନଠାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ବର୍ତ୍ତମାନର ସ୍ଥିତି ଅନୁଧ୍ୟାନ କରି ପ୍ଲାଷ୍ଟିକ୍ ବର୍ଜ୍ୟର ଉପଯୁକ୍ତ ପରିଚାଳନା ଏବଂ ପୁନଃବ୍ୟବହାର ନିମନ୍ତେ ନିର୍ଦ୍ଦିଷ୍ଟ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବାକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।

ରାସ୍ତା ନିର୍ମାଣରେ ପ୍ଲାଷ୍ଟିକ୍ ବ୍ୟବହାର ବଢ଼ାଇବା ପାଇଁ ଏହାର ବୈଷୟିକ, ଆର୍ଥିକ ଓ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ସବିଶେଷ କାର୍ଯ୍ୟପନ୍ଥା ଏବଂ ଗାଇଡ୍ ଲାଇନ୍ ପ୍ରସ୍ତୁତ କରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ରାସ୍ତା ନିର୍ମାଣ ପ୍ରକଳ୍ପର ଦର ତାଲିକା ସୂଚାଙ୍କ (ସିଡୁଲ୍ ଅଫ୍ ରେଟ୍)ରେ ଅନ୍ତର୍ଭୁକ୍ତ କରିବା ସହ ବାର୍ଷିକ କେତେ ପରିମାଣରେ ପ୍ଲାଷ୍ଟିକ୍ ବର୍ଜ୍ୟ ରାସ୍ତା ନିର୍ମାଣରେ ବ୍ୟବହାର ହୋଇପାରିବ ତାର ଆକଳନ କରିବାକୁ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ରାସ୍ତା ନିର୍ମାଣରେ ପ୍ରୟୋଗ ନିମନ୍ତେ ପ୍ଲାଷ୍ଟିକ୍ର ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟାକରଣ ଆବଶ୍ୟକ। ଏହି ପ୍ରକ୍ରିୟାରେ ପ୍ଲାଷ୍ଟିକକୁ ଟୁକୁରା ଟୁକୁରା ଖଣ୍ଡ କରାଯାଇ ପିଚୁରେ ମିଶିବା ଭଳି ରୂପାନ୍ତରିତ କରାଯାଏ। ଏଥିପାଇଁ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା କରିବା ନିମନ୍ତେ ଓଡ଼ିଆ ଯୁବକ ଯୁବତୀମାନଙ୍କୁ ପ୍ରୋତ୍ସାହନ ଦିଆଯିବାକୁ ବୈଠକରେ ସ୍ଥିର ହୋଇଥିଲା।

ଏ ଦିଗରେ ଆବଶୟକୀୟ ପଦକ୍ଷେପ ନେବା ଏବଂ ସମ୍ଭାବ୍ୟ ଉଦ୍ୟୋଗୀମାନଙ୍କୁ ପ୍ରାମାଣିକ କ୍ଷେତ୍ର ପରିଦର୍ଶନରେ (ଏକ୍ସପୋଜର ଭିଜିଟ୍) ନେବାପାଇଁ ମୁଖ୍ୟ ଶାସନ ସଚିବ ବୈଠକରେ ଉପସ୍ଥିତ ଶିଳ୍ପ ବିଭାଗ ଶାସନ ସଚିବ ହେମନ୍ତ କୁମାର ଶର୍ମାଙ୍କୁ ପରାମର୍ଶ ଦେଇଥିଲେ।

ଏପରି ଉଦ୍ୟୋଗ ପ୍ରଧାନମନ୍ତ୍ରୀ ନିଶ୍ଚିତ ନିଯୁକ୍ତି କାର୍ଯ୍ୟକ୍ରମ (ପିଏମ୍ଇଜିପି)ରେ ପ୍ରତିଷ୍ଠା କରାଯାଇପାରିବ ବୋଲି ଶ୍ରୀ ଶର୍ମା ଜଣାଇଥିଲେ। ଗ୍ରାମାଞ୍ଚଳରେ ସୃଷ୍ଟି ହେଉଥିବା ପ୍ଲାଷ୍ଟିକ୍ ବର୍ଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ମାଧ୍ୟମରେ ସଂଗ୍ରହ କରାହେବ। ସଂଗୃହିତ ପ୍ଲାଷ୍ଟିକ୍ ନିର୍ଦ୍ଧାରିତ ସ୍ଥାନମାନଙ୍କରେ ନଗର ଓ ଗୃହ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯିବ। ତାପରେ ସେଗୁଡ଼ିକର ବର୍ଗୀକରଣ କରାଯାଇ ରାସ୍ତା ନିର୍ମାଣ ଏବଂ ସିମେଣ୍ଟ ପ୍ରସ୍ତୁତିରେ ପୁନଃବିନିଯୋଗର ବ୍ୟବସ୍ଥା କରାଯିବ।