୧୦ଫୁଟ ଦବିଲା ୪ଶହ ମିଟର ରାସ୍ତା, ଆତଙ୍କିତ ଗ୍ରାମବାସୀ

କେନ୍ଦ୍ରାପଡ଼ା, ମାର୍ଶାଘାଇ,ଏନ୍ଏନ୍ଏସ୍: ନିର୍ମାଣାଧୀନ ହରିଦାସପୁର-ପାରାଦୀପ ରେଳପଥରେ ଠିକାସଂସ୍ଥାର ତ୍ରୁଟିପାଇଁ ରେଳ ଗଡ଼ିବା ପୂର୍ବରୁ ପ୍ରାୟ ୪ଶହ ମିଟର ରେଳ ରାସ୍ତା ଆପେ ଆପେ ଦବିଯାଇଛି। ରାସ୍ତା ମଝିରୁ ପ୍ରାୟ ୧୦ ଫୁଟ ମାଟି ଦବିଯିବା ସହ ନିକଟରେ ଥିବା ନିଚ୍ଚା ଜମିର ମାଟି ପ୍ରାୟ ୬ ଫୁଟ ଉଚ୍ଚକୁ ଉଠିଯିବାରୁ ଗୋସେଇଁବନ୍ଦ ଗ୍ରାମର ରବୀନ୍ଦ୍ର ଦାସ ଓ ଅରୁଣ କୁମାର ଦାସଙ୍କ ଘରପ୍ରତି ବିପଦ ସୃଷ୍ଟି କରିଛି। ଏପରିକି ଏହି ଭୁସ୍କଳନ ପାଇଁ ଓ ଭୂ-ଉତ୍ଥାନ ପାଇଁ ରବୀନ୍ଦ୍ରଙ୍କ କୋଠାଘର କାନ୍ଥ ଫାଟି ଯାଇଛି।

ନିକଟରେ ଥିବା ରବୀନ୍ଦ୍ର ଦାସଙ୍କ କୋଠା ଘରର ଛାତ ପର୍ଯ୍ୟନ୍ତ ମାଟି ପୋତି ହେବା ସହିତ ତାଙ୍କ ଚଉରା ଉପୁଡ଼ିି ପଡ଼ିଥିଲା। ତାଙ୍କ ନବ ନିର୍ମିତ କୋଠା ଘରର କାନ୍ଥ ବିଭିନ୍ନ ସ୍ଥାନରେ ଫାଟିଯିବା ସହିତ ଅରୁଣ କୁମାର ଦାସଙ୍କ ଘର ଉପରେ ଏକ ଆମ୍ବ ଗଛ ଉପୁଡ଼ି ପଡିଥିଲା। ନିକଟରେ ଥିବା ବଡ଼ ବଡ଼ ଗଛ ଗୁଡ଼ିକ ଢଳିରହିବା ସହିତ ଭୂକମ୍ପର ଭୟ ସୃଷ୍ଟି ହୋଇଥିଲା। ଫଳରେ ଆଖପାଖ ଲୋକେ ଆତଙ୍କିତ ହୋଇ ଘରୁ ବାହାରି ପଡ଼ିଥିଲେ। ଭୟରେ ଲୋକଙ୍କୁ ସାରା ରାତି ଅନିଦ୍ରା ହେବାକୁ ପଡ଼ିଥିଲା। ତେବେ ଦୀର୍ଘ ଦିନରୁ ଏହି ରାସ୍ତାରେ ମାଟି ପଡ଼ିଥିଲେ ମଧ୍ୟ ଏତେଦିନ ପରେ ରାସ୍ତାଟି ଏମିତି ଭାବରେ ଦବିଯିବା ଘଟଣା ଅଞ୍ଚଳବାସୀ ଏହାକୁ ଆଶ୍ଚର୍ଯ୍ୟକରିଛି।

ତରବରିଆଭାବେ ଠିକାଦାରଙ୍କ ତ୍ରୁଟିପୁର୍ଣ୍ଣ କାର୍ଯ୍ୟ ପାଇଁ ଏପରି ଘଟିଥିବା କଥା ଲୋକମାନେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଗ୍ରାମବାସୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଲୋକମାନେ ରାସ୍ତାରୋକ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ମାର୍ଶାଘାଇ ଥାନା ଅଧିକାରୀ କାଳିନ୍ଦୀ ବେହେରା, ତହସିଲଦାର ନିରଞ୍ଜନ ସାହୁ ଓ ସ୍ଥାନୀୟ ରାଜସ୍ୱ ଅଧିକାରୀ ପହଞ୍ଚି ତଦନ୍ତ କରବା ସହ ଉପଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି। ତେବେ ସାରା ରାତି ଭୟ ଓ ଆତଙ୍କରେ ଥିବା ପରିବାର ମାନେ ଅଧିକାରୀଙ୍କ ନିକଟରେ ଧନ ସମ୍ପତ୍ତିର କ୍ଷୟକ୍ଷତି ଭରଣା କରିବାକୁ ଦାବି କରିଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ, ୧୯୯୫-୯୬ ବର୍ଷରେ ହରିଦାସପୁର-ପାରାଦୀପ ରେଳପ୍ରକଳ୍ପ ମଞ୍ଜୁର ହୋଇଥିଲା। ୮୨ କିଲୋମିଟରରୁ ଅଧିକ ଏହି ରେଳପଥକୁ ପ୍ରଥମଥର ପାଇଁ ଫାଟକବିହୀନ ରେଳପଥ ଭାବରେ ଯୋଜନା ପ୍ରସ୍ତୁତ ହୋଇଥିଲା। ତେବେ ଅର୍ଥ ବରାଦର ଅଭାବରୁ ଏହି ପ୍ରକଳ୍ପ ଦୀର୍ଘ ୪ବର୍ଷ ପଡ଼ିରହିଥିଲା। ୧୯୯୯ ମସିହା ଏପ୍ରିଲ ୪ ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ ନିତିଶ କୁମାର ମାର୍ଶାଘାଇଠାରେ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।