କେସିଙ୍ଗା ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କେସିଙ୍ଗା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଅରୁନ୍ଧତୀ ଅଟୋମୋଟିଭ ଓ ଅନ୍ନପୂର୍ଣ୍ଣା ଅଟୋମୋବାଇଲ ଆନୁକୂଲ୍ୟରେ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କେସିଙ୍ଗା ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ କେସିଙ୍ଗା ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ପ୍ରଦୀପ କୁମାର ରଥ, ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି, ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, କଳାହାଣ୍ଡି ପରିବହନ ବିଭାଗ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ, କଳିଙ୍ଗ ବଡିବିଲଡିଙ୍ଗ ସଂଘ ଭୁବନେଶ୍ୱର ସମ୍ପାଦକ ସନ୍ତୋଷ ମହାନ୍ତି ଓ ଅନ୍ନପୂର୍ଣ୍ଣା ଅଟୋମୋବାଇଲର ପରିଚାଳନା ନିର୍ଦ୍ଦେଶକ ପ୍ରମୋଦ କୁମାର ପ୍ରଧାନ ଯୋଗଦେଇ ସଡ଼କ ସୁରକ୍ଷା ବିଷୟରେ ବିଷଦ ଭାବେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ବ୍ୟସ୍ତବହୁଳ ଜୀବନରେ ଅସାବଧାନତା ଯୋଗୁ ଆମେ ନିଜର ଅମୂଲ୍ୟ ଜୀବନ ହରେଇବା ସହ ଅନ୍ୟର ଜୀବନକୁ ସଙ୍କଟରେ ପକାଉଛୁ । ପ୍ରତିବର୍ଷ ଭାରତରେ ବେପରୁଆ ଗାଡ଼ି ଚାଳନା ଓ ମଦ୍ୟପାନ କରି ଗାଡ଼ି ଚାଳନା ଯୋଗୁ ଦେଢ଼ ଲକ୍ଷ ଲୋକ ଦୁର୍ଘଟଣାରେ ଜୀବନ ହରାଉଛନ୍ତି ଏବଂ ପ୍ରତିଦିନ ୪୦ରୁ ଊର୍‌ଦ୍ଧ୍ୱ ଦୁର୍ଘଟଣା ଘଟି ପାଖାପାଖି ୧୯ରୁ ଅଧିକ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି ବୋଲି କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଶ୍ରୀ ସେନାପତି ତାଙ୍କ ବକ୍ତବ୍ୟରେ କହିଛନ୍ତି । ଆପଣମାନେ ଦେଶର ଭବିଷ୍ୟତ ତେଣୁ ରାଜ୍ୟ ସରକାରଙ୍କ ନୀତି ନିୟମକୁ ପାଳନ କରନ୍ତୁ ଓ ଛୋଟ ପିଲାଙ୍କୁ ଗାଡ଼ି ଚଲେଇବାକୁ ଦିଅନ୍ତୁ ନାହିଁ ବୋଲି ମୁଖ୍ୟଅତିଥି ଶ୍ରୀ ସିଂଦେଓ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେସିଙ୍ଗା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ ସ୍ୱାଗତ ଅଭିଭାଷଣ ଓ ଧନ୍ୟବାଦ ଦେଇଥିଲେ । ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡା. ରାକେଶ କୁମାର ବିସି ମଞ୍ଚ ପରିଚାଳନା କରିଥିଲେ ।