ରୋଡ ରୋମିଓକୁ ଧରିଲେ ନାବାଳିକାଙ୍କ ମା’ ଓ ଭାଇ

ବ୍ରହ୍ମପୁର,ଏନ୍ଏନ୍ଏସ୍: ବୈଦ୍ୟନାଥପୁର ଥାନା ଅଧିନ ଗଜପତି ନଗରରେ ଆଜି ସ୍ଥାନୀୟ ଲୋକଙ୍କ ସହ ମିଶି ନାବାଳିକାଙ୍କ ମା’ ଏବଂ ଭାଇ ଜଣେ ରୋଡ ରୋମିଓକୁ ଧରି ପୁଲିସରେ ଦେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ôଚ ରୋଡ ରୋମୀଓଙ୍କୁ ଥାନାକୁ ନେଇଛି। ଏହା ପୂର୍ବରୁ ସ୍ଥାନୀୟ ଲୋକେ ଏହି ରୋମିଓକୁ ଉତ୍ତମ ମଧ୍ୟମ କରିଛନ୍ତି।

ଘଟଣା ଅନୁଯାୟୀ, ଗଜପତି ନଗର ଅଂଚଳରେ ଅନେକ ସ୍କୁଲ ଏବଂ କୋଚିଂ ସେଣ୍ଟର ରହିଛି। ଏଠାକୁ ଅନେକ ଅଂଚଳରୁ ନାବାଳିକା ଛାତ୍ରୀଙ୍କ ସମେତ ଯୁବତୀମାନେ ଆସି ପାଠ ପଢୁଛନ୍ତି। ଏହା ସହ କିଛି କଲେଜର ମହିଳା ହଷ୍ଟେଲ ମଧ୍ୟ ଏଠାରେ ରହିଛି। ଏହାକୁ ଦେଖି କିଛି ରୋଡ ରୋମିଓ ସବୁ ଦିନ ଏଠାରେ ଆଡ୍ଡା ଜମାଇବା ସହ ଯୁବତୀ ଏବଂ ନାବାଳିକାଙ୍କୁ ହଇରାଣ ହରକତ କରୁଛନ୍ତି। ଗତ କିଛି ଦିନ ହେଲା ଜଣେ ଶିଶୁ ମନ୍ଦିରର ନାବାଳିକାଙ୍କୁ ଗଜପତି ନଗର ୧୧ ଲାଇନ ଅଂଚଳର ସିଦ୍ଧାନ୍ତ ସିଂ ନାମକ ଯୁବକ ହଇରାଣ କରିବା ସହ ଅନ୍ୟ ସହଯୋଗୀମାନଙ୍କ ସହ ମିଶି ନାବାଳିକାଙ୍କୁ ରାସ୍ତାରେ ଅଟକାଇ ବିଭିନ୍ନ ପ୍ରଶ୍ନ ପଚାରୁଥିଲେ।

ଏ ନେଇ ନାବାଳିକା ଜଣକ ନିଜ ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକେ ଘଟଣା ଜାଣିବା ପରେ ନାବାଳିକାଙ୍କୁ ସ୍କୁଲ ଏବଂ ଟିଉସନ ନେବା ବେଳେ ଛାଡିବାକୁ ଆସୁଥିଲେ। ଆଜି ମଧ୍ୟ ପରିବାର ଲୋକ ନାବାଳିକାଙ୍କୁ ଧରି ସନ୍ଧ୍ୟା ୭ଟାରେ ଟିଉସନ ଆସିଥିବା ବେଳେ ଉକ୍ତ ରୋଡ ରୋମିଓ ତାର କିଛି ସହଯୋଗୀଙ୍କ ସହ ଏକ ସ୍କୁଟି ଗାଡିରେ ଆସି କମେଣ୍ଟ କରିବା ବେଳେ ନାବାଳିକାଙ୍କ ମା’,ଭାଇ ଓ ସ୍ଥାନୀୟ ଲୋକେ ଯୁବକଙ୍କୁ ଧରି ନେଇଥିଲେ। ପରେ ସ୍ଥାନୀୟ ଲୋକେ ଉତ୍ତମ ମଧ୍ୟମ କରିବା ସହ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳକୁ ଆସି ଅଭିଯୁକ୍ତ ରୋଡ ରୋମିଓ ସିଦ୍ଧାନ୍ତକୁ ନେଇ ଥାନାକୁ ଯାଇଥିଲେ। ନାବାଳିକାଙ୍କ ମା’ ଏବଂ ଭାଇ ମଧ୍ୟ ଥାନାକୁ ଯାଇ ଏତଲା ଦେଇଥିବା ଜଣାପଡିଛି।