କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ମହଙ୍ଗା ପଡ଼ିଲା, ଗାଁ ଦାଣ୍ଡରେ ରୋମିଓଙ୍କୁ ଆଣ୍ଠେଇ ଆଣ୍ଠେଇ ଚଲାଇଲେ

ତିହିଡ଼ି,ଏନ୍ଏନ୍ଏସ୍ : ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ସୟା ପଞ୍ଚାୟତ ଅଧୀନ ବାଲିଚତୁରି ଗ୍ରାମର ୨ଜଣ କଲେଜଛାତ୍ରୀଙ୍କୁ କମେଣ୍ଟ ମାରିବା ଓ ବାଇକରେ ପିଛାକରିବା ଉଭୟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଦୁଇ ଯୁବକ ମଧ୍ୟରୁ ଜଣେ ନାବାଳକ ଥିବା ଜଣାପଡ଼ିଛି। ବାଲିଚତୁରୀ ଗ୍ରାମର ସଂପୃକ୍ତା ଛାତ୍ରୀଦ୍ୱୟ କଲେଜରେ ପାଠ ପଢ଼ନ୍ତି। ତିହିଡ଼ି ଥାନା ଅଧୀନ ଲିଙ୍ଗାଡ଼ି ଗ୍ରାମର ଶିବାନନ୍ଦ ମଲିକ ଓ ମହରମପୁର ଅଞ୍ଚଳର ଜଣେ ନାବାଳକ ଗୋଟିଏ ବାଇକରେ ସଂପୃକ୍ତା ଦୁଇ ଛାତ୍ରୀଙ୍କୁ ରବିବାର ଠାରୁ ପିଛା କରିଥିଲେ।

ଛାତ୍ରୀ ଦୁଇଜଣ କାଳିପଡ଼ିଆକୁ କାଳୀ ପୂଜା ଦେଖିବା ପାଇଁ ଆସିଥିବା ବେଳେ ସେମାନେ ତାଙ୍କୁ କମେଣ୍ଟ ମାରିବା ସହ ଫୋନ ନମ୍ବର ମାଗିଥିଲେ। ସେହିପରି ରବିବାର ଦିନ ଛାତ୍ରୀ ଦୁଇଜଣ ତିହିଡ଼ିରୁ ଟ୍ୟୁସନ ହୋଇ ଫେରୁଥିବାବେଳେ ଏହି ଯୁବକ ଦୁଇଜଣ ପୁଣି ସେମାନଙ୍କୁ ଫୋନ ନମ୍ବର ମାଗିଥିଲେ। ଫୋନ ନମ୍ବର ନଦେଲେ ଛାତ୍ରୀଙ୍କ ଘର ବାରଣ୍ଡାରେ ଶୋଇରହିବେ ବୋଲି କହିଥିଲେ। ସେମାନଙ୍କ ପିଛା କରି ଛାତ୍ରୀଙ୍କ ଗାଁରେ ପହଞ୍ଚଗଲା ପରେ ଘଟଣା ସମ୍ପର୍କରେ ଛାତ୍ରୀଦୁଇଜଣ ଗ୍ରାମବାସୀଙ୍କୁ ଜଣାଇଥିଲେ। ପରେ ଆରମ୍ଭ ହୋଇଯାଇଥିଲା କାର୍ଯ୍ୟାନୁଷ୍ଠାନ।

କେତେକ ଗ୍ରାମବାସୀ ସେମାନଙ୍କୁ ନିସ୍ତୁକ ଛେଚିବା ପରେ ହାମୁଡ଼େଇ ହାମୁଡ଼େଇ ଦୁଇ ରୋମିଓଙ୍କୁ ଗାଁ ଦାଣ୍ଡରେ ଚଲାଇ ଚଲାଇ ନେଇଥିଲେ। ପରେ ତିହିଡ଼ି ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚ ଉଭୟ ଯୁବକଙ୍କୁ ଥାନାକୁ ଆଣି ପଚରାଉଚୁରା କରିବା ପରେ ସେମାନଙ୍କ ବିରୋଧରେ ୪୭୪/୧୯ଏକ ମାମଲା ରୁଜୁ କରିଛି।

ଶିବାନନ୍ଦକୁ ଆଜି କୋର୍ଟ ଚାଲାଣ କରିଛି। ତେବେ ଅନ୍ୟଜଣକ ନାବାଳକ ହୋଇଥିବାରୁ ତାକୁ ଆସନ୍ତାକାଲି ସଠିକ ନିୟମାନୁଯାୟୀ କୋର୍ଟକୁ ନିଆଯିବ ବୋଲି ପୁଲିସ କହିଛି। ସେମାନେ ବ୍ୟବହାର କରିଥିବା ବାଇକଟିକୁ ମଧ୍ୟ ପୁଲିସ ଜବତ କରିଛି। ଅପରପକ୍ଷେ ନାବାଳକଙ୍କ ମା’ଙ୍କ ଅଭିଯୋଗ କ୍ରମେ କେତେକ ଗ୍ରାମବାସୀଙ୍କ ନାମରେ ୪୭୫/୧୯ରେ ଅନ୍ୟ ଏକ ମକଦ୍ଦମା ରୁଜୁ ହୋଇଛି।