ବାଲିଗୁଡ଼ା ମେଡିକାଲରେ ରୋଗୀ ମୃତ୍ୟୁ ଘଟଣାରେ ରାସ୍ତାରୋକ

ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଗୁରୁବାର ରାତିରେ ସଲାଗୁଡା ତେଲେପଙ୍ଗା ଗ୍ରାମର ରବିଚନ୍ଦ୍ର ଦିଗାଲ ର ଗୋଡ଼ ବ୍ୟଥା ସହ ଜ୍ବର ହେଉଥିବା ବେଳେ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ସମୟରେ ରବିଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଉତ୍ତ୍ୟକ୍ତ ଲୋକ ଶୁକ୍ରବାର ସକାଳୁ ୫୯ ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ଡ଼ାକ୍ତରଙ୍କ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଓ ପରିବାର ଲୋକଙ୍କୁ କ୍ଷତି ପୂରଣ ଦାବି କରିଥିଲେ।

ଖବରପାଇ ଘଟଣାସ୍ଥଳରେ ବାଲିଗୁଡ଼ା ତହସିଲଦାର ଶଶାଙ୍କ ଶେଖର ପାତ୍ର, ଏସଡିପିଓ ମନୋଜ ପୂଜାରୀ, ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ପ୍ରକାରେ ସଫଳ ହୋଇନଥିଲା। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏପରି ରାସ୍ତା ରୋକ ଆନ୍ଦୋଳନ ଜାରି ରହିବ ବୋଲି ଅଡ଼ି ବସିଥିଲେ। ହେଲେ ଦୀର୍ଘ ୭ ଘଣ୍ଟା ପରେ ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼. ଶୁଭଙ୍କର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପରେ ରାସ୍ତା ଅବରୋଧ ହଟିଥିଲା। ଡାକ୍ତର ଅବହେଳାର ଏକ ତଦନ୍ତ ଟିମ୍ ଗଠନ ସହ ମୃତ ପରିବାରକୁ ରେଡକ୍ରସ ତରଫରୁ ୩୦ ହଜାର ଟଙ୍କା, ପରିବାରରେ ଜଣକୁ ଚାକିରି ସହ ଡାକ୍ତର ପଦବୀ ପୂରଣ ଖୁବ ଶୀଘ୍ର କରାଯିବ ବୋଲି ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ପ୍ରତିଶୃତି ଦେବା ପରେ ରାସ୍ତା ରୋକ ହଟିଥିଲା।