ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ, ଜାତୀୟ ରାଜପଥ ଅବରୋଧ ଜିଲ୍ଲାରାଜ୍ୟ By Nitidin On Dec 14, 2019 Share ବୌଦ୍ଧ,ଏନ୍ଏନ୍ଏସ୍: ବୌଦ୍ଧର ଜାତୀୟ ରାଜପଥ ୫୭ସ୍ଥିତ ବ୍ରିଜ ଛକ ଠାରେ ଏକ ଟ୍ରକ୍ ଏକ ବାଇକକୁ ଧକ୍କା ଦେଇ ସେମାନଙ୍କ ଉପରେ ଚଢ଼ିଯାଇଥିଲା। ଏହି ସମୟରେ ବାଇକରେ ୨ଜଣ ଥିବା ବେଳେ ଚାଳକର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଟୁଟୁସିଂଘା ଗାଁର ମହେଶ ପ୍ରଧାନ(୧୮) ଓ ବିମଲ ପ୍ରଧାନ(୧୭) ଏକ ବାଇକ୍ ଯୋଗେ ଯାଉଥିବାବେଳେ ବୌଦ୍ଧ ବ୍ରିଜ ଛକ ଠାରେ ଟ୍ରକ ନମ୍ବର ଓଡ଼ି-୦୫-ଏଏ ୦୦୪୭ ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ଘଟଣାସ୍ଥଳରେ ମହେଶ ପ୍ରଧାନଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ବିମଲ ପ୍ରଧାନ ଗୁରୁତର ଆହତ ହୋଇପଡିଥିଲେ। ବିମଲଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ଥିତି ସଙ୍ଗୀନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ସ୍ଥାନୀୟ ଲୋକଙ୍କ ସମେତ ମୃତକଙ୍କ ପରିବାର ଲୋକେ ବୌଦ୍ଧ ବ୍ରିଜ ଛକ ଠାରେ ଯୁବକଙ୍କ ଶବ ରଖି ଜାତୀୟ ରାଜପଥ ୫୭ ଅବରୋଧ କରିଛନ୍ତି। ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି। Share