ପିଣ୍ଡଦାନ ଦେଇ ଘରକୁ ଫେରୁଥିଲେ : ବାଟରେ ମାଡ଼ିଆସିଲା କାଳ

କେନ୍ଦୁଝର, ଏନ୍ଏନ୍ଏସ୍ : ପିଣ୍ଡଦାନ ଦେଇ ଘରକୁ ଫେରୁଥିବା ବେଳେ, ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୬ଜଣ ଆହତ ହୋଇଛନ୍ତି। ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବୀରଗୋବିନ୍ଦପୁର ନିକଟରେ। ଏକ ଟ୍ରକ ଟ୍ରଭେରା ଗାଡ଼ିକୁ ଧକ୍କା ଦେଇଥିଲା। ମୃତକ ଦ୍ୱୟ ହେଲେ ମହେଶ ପଣ୍ଡିତ ଓ ମୋତି ସିଂ। ଆହତମାନଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ସମସ୍ତଙ୍କ ଘର ମଧ୍ୟପ୍ରଦେଶ ଗୁନା ଅଂଚଳର ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ସେମାନେ ଗୟାରେ ପିଣ୍ଡଦାନ କରି ଘରକୁ ଫେରୁଥିଲେ। ତେବେ ରାତି ପ୍ରାୟ ୧୦ଟାହେବ ବୀରଗୋବିନ୍ଦପୁର ନିକଟରେ ସେମାନଙ୍କ ଗାଡ଼ିକୁ ଏକ ଟ୍ରକ ଆସି ପିଟି ଦେଇଥିଲା। ଘଟଣାସ୍ଥଳରେ ମହେଶ ଓ ମୋତିଙ୍କର ମୃତ୍ୟୁ ଘଟିଥିଲା। ୬ଜଣ ଆହତ ହୋଇଥିଲା ବେଳେ ଅନ୍ୟ ତିନିଜଣଙ୍କର କିଛି ହୋଇ ନାହିଁ ବୋଲି ସୂଚନା ମିଳିଛି। ଆହତମାନଙ୍କୁ ସ୍ଥାନୀୟ ଲୋକେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ଘଟଣାସ୍ଥଳରେ ପୁଲିସ ପହଂଚି ଶବ ଦ୍ୱୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଟ୍ରକ ନେଇ ଫେରାର ହୋଇଯାଇଥିôବା ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରୁଛି। ଏନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।