ଶବ ସତ୍କାର କରି ଫେରିଲା ବେଳେ ନିଜେ ହୋଇଗଲେ ଶବ

ରାଉରକେଲା, ଏନ୍ଏନ୍ଏସ୍ : ଶବ ସତ୍କାର କରି ଫେରିବା ବାଟରେ ନିଜେ ହୋଇଗଲା ଶବ ।
ଏଭଳି ଅଭାବନୀୟ ଘଟଣାଘଟିଛି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋସିହିରିଆ ନିକଟରେ ।
ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୧୧ଟାରେ ଏକ ର୍ସ୍କପିଓ କୁଆଁରମୁଣ୍ଡା ସ୍ଥିତ ଡ଼ନ ବସକୋ ଆଇଟିଆଇର ୧୦ ଜଣ ଛାତ୍ର ଉକ୍ତ କଲେଜର ଜଣେ ଶିକ୍ଷକଙ୍କ ପୁଅକୁ କବର ଦେବାକୁ ଝୁନମୁର ଯାଇଥିଲେ । ସେମାନେ କବର ଦେବା ପରେ କୁଆଁରମୁଣ୍ଡା ରୋଡ଼ରେ ନ ଆସି ହାତୀବାରି ରାସ୍ତାରେ କଲେଜ କ୍ୟାମ୍ପସକୁ ଫେରୁଥିଲେ ।

ସେମାନେ ସବାର ଥିବା ର୍ସ୍କପିଓ କାଲୋସିହିରିଆ ସଧୋବସ୍ତି ନିକଟରେ ଥିବା ଏକ ବରଗଛରେ ନିୟନ୍ତ୍ରଣ ହରାଇ ପିଟି ହୋଇ ଦୁର୍ଘଟଣାଗସ୍ତ ହୋଇଥିଲେ । ଗୁରୁତର ଅବସ୍ଥାରେ ପଡ଼ିଥିବା ସମୟରେ ଘଟଣାସ୍ଥଳକୁ ବିରମିତ୍ରପୁର ଥାନା ପୁଲିସ ଓ କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ପହଂଚି ଗାଡ଼ିକ ଜବତ କରିବା ସହ ଆହତ ମାନଙ୍କୁ ଡାକ୍ତରଖାନା ପଠାଇଥିଲେ । ଗୁରୁତରମାନଙ୍କୁ କୁଆଁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ମଙ୍ଗଳବାର ଭୋରୁ ଚାଳକ ଦୀପ କୁମାର ଖେସ ମୃତ୍ୟୁବରଣ କରିଥିବା ବେଳେ ଜଗନ୍ନାଥ ମୁଣ୍ଡାରୀ, ସୁଶୀଲ କୁଜୁର, ଆଶିଷକ କୁଜୁର, ରାହୁଲ ଓ ଅନ୍ୟ ୨ଜଣ ଆହତଙ୍କୁ ଆରଏସପି ପରିଚାଳିତ ଆଇଜିଏଚକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଗାଁ’ରେ ଶୋକର ଛାୟା ଖେଳିଯାଇଛି ।