ମୁମ୍ବାଇ,ଏଜେନ୍ସି : ଶୁକ୍ରବାର ନାର୍କୋଟିକ୍ସ ବ୍ୟୁରୋ ଟିମ ରିୟାଙ୍କ ଭାଇ ଶୋଭିକ ଓ ସୁଶାନ୍ତଙ୍କ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଗିରଫ କରିଛି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ପର୍ଦ୍ଦାଫାସ କରିବା ପାଇଁ ସିବିଆଇ, ନାର୍କୋଟିକ୍ସ ବ୍ୟୁରୋ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମିଳିତ ଭାବେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି। ବଲିଉଡରେ ଡ୍ରଗ୍ସ ଓ ସେକ୍ସ ମାୟାରେ ପଡ଼ି ସୁଶାନ୍ତ ସିଂ ରାଜପୁତ ମୃତ୍ୟୁବରଣ କରିଛନ୍ତି। ଶୁକ୍ରବାର ସୁଶାନ୍ତଙ୍କ ହାଉସ୍ ମ୍ୟାନେଜର ସାମୁଏଲ ମିରାଣ୍ଡାକୁ ନାର୍କୋଟିକ୍ସ ବ୍ୟୁରୋ (ଏନସିବି) ଗିରଫ କରିଛି। ସୁଶାନ୍ତଙ୍କର ଡ୍ରଗ୍ସ ସେବନ ଦିଗଟିର ତଦନ୍ତ ଦାୟିତ୍ୱ ଏନସିବି ମୁଣ୍ଡାଇଛି। ଏ ଯାବତ୍ ଏନସିବି ୫ ଜଣଙ୍କୁ ଗିରଫ କରିସାରିଛି। ଉକ୍ତ ୫ ନିଶା ବେପାରୀଙ୍କ ସହ ରିୟା, ତାଙ୍କ ଭାଇ ଶୋଭିକ ଓ ହାଉସ୍ ମ୍ୟାନେଜର ମିରାଣ୍ଡା ଯୋଗସୂତ୍ର ଥିବା କ୍ରମେ ସ୍ପଷ୍ଟ ହୋଇଛି। ଶୋଭିକ ଓ ତାଙ୍କ ସାଙ୍ଗମାନଙ୍କ ମଧ୍ୟରେ ହୋଇଥିବା ଚାଟିଙ୍ଗ୍ରୁ ବେଆଇନ ନିଶା କାରବାର ବିଷୟ ସାମ୍ନାକୁ ଆସିଛି। ଶୋଭିକ ତା’ର ସାଙ୍ଗମାନଙ୍କୁ ନିଶା ଡିଲର୍ର ନମ୍ବର ଦେଇଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି।
ପ୍ରଥମ ଥର ପାଇଁ ଶୁକ୍ରବାର ଏନସିବି କର୍ତ୍ତୃପକ୍ଷ ରିୟା ଓ ମିରାଣ୍ଡାଙ୍କ ଘର ଉପରେ ଚଢ଼ଉ କରିଛି। ପ୍ରାପ୍ତ ସୂଚନା ଅନୁସାରେ ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୬ଟାରେ ଏନସିବିର ଦୁଇଟି ଟିମ୍ ଏକା ସମୟରେ ରିୟା ଓ ମିରାଣ୍ଡାଙ୍କ ଘରେ ପହଞ୍ôଚ ଯାଇଥିଲେ। ଏନସିବି ଟିମ ମିରାଣ୍ଡାକୁ ସାଙ୍ଗରେ ଧରି ଅଜଣା ସ୍ଥାନକୁ ନେଇଯାଇଛି। ଏନ୍ସିବିର ଦ୍ୱିତୀୟ ଟିମ ମଧ୍ୟ ରିୟାଙ୍କ ଭାଇ ଶୋଭିକଙ୍କୁ ଧରି ଅଫିସକୁ ନେଇଯାଇଛନ୍ତି। ଏହା ପୂର୍ବରୁ ଏନସିବି ଜୈଦ ବିଲାତ୍ରା, ଅବଦୁଲ୍ ବାସିତ୍ ପରିହାରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ଇତିମଧ୍ୟରେ ସିବିଆଇ ଶୁକ୍ରବାର କର୍ଣ୍ଣର ଷ୍ଟୋନ ସିଇଓ ବଣ୍ଟି ରାଜଦେହଙ୍କୁ ଡିଆରଡିଓ ଗେଷ୍ଟ ହାଉସକୁ ଡାକି ଜେରା କରୁଛି।