ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉଥିଲେ: ଏନସିବିର ୬ ଘଣ୍ଟା ଜେରାରେ ମାନିଲେ ରିୟା

ମୁମ୍ବାଇ,ଏଜେନ୍ସି: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରବିବାର ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଅନ୍ୟୂନ ୬ ଘଣ୍ଟା କାଳ ଜେରା କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)। ସେ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ ମଗାଉଥିଲେ ବୋଲି ଏନସିବି ଆଗରେ ମାନିଛନ୍ତି। ଏପରିକି ସେ ଭାଇ ସୌଭିକ୍ ଜରିଆରେ ଡ୍ରଗ୍ସ ମଗାଉଥିଲେ ବୋଲି ଏନ୍ସିବି ଆଗରେ ମାନିଥିବା ଜଣାପଡ଼ିଛି। ସେହିପରି ଆଜି ପୁଣି ତାଙ୍କୁ ଜେରା କରାଯିବ। ଡ୍ରଗ୍ସ ମାମଲାରେ ଏ ଯାବତ୍ ଅବଦୁଲ୍ ବାସିତ୍, ଜୈଦ ବିଲାତ୍ରା, ସୌଭିକ ଚକ୍ରବର୍ତ୍ତୀ, ସାମୁଏଲ୍ ମିରାଣ୍ଡା ଓ ଆବାସ ଲଖାନୀଙ୍କୁ ଗିରଫ କରାଯାଇଛି। ଡ୍ରଗ୍ସ ବେପାରୀ କୈଜାନ ଇବ୍ରାହିମକୁ ଏନସିବି ଗିରଫ କରିଥିଲେ ମଧ୍ୟ ଶନିବାର ତାକୁ କୋର୍ଟରୁ ଜାମିନ ମିଳିଯାଇଥିଲା।

ରିୟାଙ୍କ ଓକିଲ କହିଛନ୍ତି, ‘ଯଦି ଭଲ ପାଇବାକୁ ଏକ ଅପରାଧ ବୋଲି ଧରି ନିଆଯାଏ, ତେବେ ରିୟା ଦଣ୍ଡ ପାଇବାକୁ ହକ୍ଦାର। ରିୟା ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ତେଣୁ ସେ ବିହାର ପୁଲିସ, ସିବିଆଇ, ଇଡି ଓ ଏନସିବିକୁ ସାହସର ସହ ସାମ୍ନା କରୁଛନ୍ତି। ମାତ୍ର ଆଗୁଆ ଜାମିନ ପାଇଁ କୌଣସି କୋର୍ଟଙ୍କ ଦ୍ୱାରସ୍ଥ ହୋଇନାହାନ୍ତି।’ ସେହିପରି ସୁଶାନ୍ତଙ୍କ ଘରୋଇ ସହାୟକ ଦୀପେଶଙ୍କ ଓକିଲ କହିଛନ୍ତି ଯେ ତାଙ୍କ ମହକିଲଙ୍କୁ ଏନସିବି ୪ ସେପ୍ଟେମ୍ବରରୁ ଅଟକ ରଖିଥିଲେ ମଧ୍ୟ ପରିବାରକୁ ଜଣାଇନାହାନ୍ତି। ଦୀପେଶଙ୍କୁ ୨୪ ଘଣ୍ଟା ଭିତରେ କୋର୍ଟରେ ହାଜର କରାଯିବା କଥା। ସେ ଏ ପ୍ରସଙ୍ଗରେ କୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି। ତାଙ୍କ ପିଟିସନ୍‌ର ଶୁଣାଣି କରି କୋର୍ଟ ଏନସିବି ଠାରୁ କୈଫୟତ୍ ଲୋଡ଼ିଛି।

ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତର ତାଜା ସ୍ଥିତି ଅନୁଯାୟୀ, ରବିବାର ମୁମ୍ବାଇର କୁପର୍ ହସ୍ପିଟାଲରେ ଏମ୍ସର ଚାରିଜଣିଆ ଟିମ ପହଞ୍ଚି ସୁଶାନ୍ତଙ୍କ ବ୍ୟବଚ୍ଛେଦ ସମ୍ପର୍କିତ ତଥ୍ୟ ସଂଗ୍ରହ କରିଛି। ସିବିଆଇ ଡିଆରଡିଓ ଗେଷ୍ଟ୍ ହାଉସରେ ସୁଶାନ୍ତଙ୍କ ଭଉଣୀ ମିତୁ ସିଂହଙ୍କୁ ଜେରା କରିଛି। ଜୟା ଶାହ ଓ ଶ୍ରୁତି ମୋଦୀଙ୍କୁ ମଧ୍ୟ ସିବିଆଇ ଜେରା କରିଛି। ସିବିଆଇ ଓ ଏମ୍ସ ଡାକ୍ତର ଟିମ ସୁଶାନ୍ତଙ୍କ ବାନ୍ଦ୍ରାସ୍ଥିତ ଆପାର୍ଟମେଣ୍ଟକୁ ଯାଇ ପ୍ରାୟ ଦେଢ଼ଘଣ୍ଟା କାଳ ରହିଥିଲେ। ଏମ୍ସ ଟିମ୍ ସୁଶାନ୍ତଙ୍କ ରୁମର କିଛି ଭିଡିଓଗ୍ରାଫି କରିଥିବାର ଜଣାଯାଇଛି। ଅନ୍ୟପକ୍ଷରେ ଡ୍ରଗ୍ସ ବେପାରୀ ଦୀପେଶକୁ ୯ ତାରିଖ ପର୍ଯ୍ୟନ୍ତ ଏନସିବି ହେପାଜତକୁ ପଠାଇ ଦିଆଯାଇଛି। ବଲିଉଡ ଅଭିନେତା ଅଭିନେତ୍ରୀଙ୍କ ସମେତ ଅନ୍ୟାନ୍ୟ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଡ୍ରଗ୍ସ ଚାଲାଣ କରୁଥିବା ସିଣ୍ଡିକେଟ୍ ସହ ଦୀପେଶଙ୍କର ଭଲ ସମ୍ପର୍କ ଥିବା ଜଣାପଡ଼ିଛି।