ଆସନ୍ତା ୨୯କୁ ଘୁଞ୍ଚିଲା ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକଙ୍କ ଜାମିନ ଆବେଦନ ଶୁଣାଣି

ମୁମ୍ବାଇ,ଏଜେନ୍ସି: ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି ହେବାକୁ ଥିବାବେଳେ ବମ୍ବେ ହାଇକୋର୍ଟ ଏହାକୁ ଆସନ୍ତା ସେପ୍ଟେମ୍ବର ୨୯ ତାରିଖକୁ ସ୍ଥଗିତ ରଖିଛନ୍ତି। ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ଏହାକୁ ସ୍ଥଗିତ ରଖାଯାଇଛି। ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ ଦ୍ୱାରା ରିୟାଙ୍କୁ ନ୍ୟାୟିକ ହେପାଜତକୁ ଅକ୍ଟୋବର ୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରିୟା ବର୍ତ୍ତମାନ ମୁମ୍ବାଇର ବାଇକୁଲ୍ଲା ଜେଲରେ ଅଛନ୍ତି। ପୂର୍ବରୁ ସନ୍ଦେହଜନକ ପରିସ୍ଥିତିରେ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଉପରେ ସ୍ୱତନ୍ତ୍ର ଅଦାଲତ କହିଥିଲେ ଯେ ତଦନ୍ତ ପ୍ରାଥମିକ ପର୍ଯ୍ୟାୟରେ ଅଛି। ତେଣୁ ଉପଲବ୍ଧ ରେକର୍ଡକୁ ଭିତ୍ତି କରି ଅଭିଯୁକ୍ତ ରିୟାଙ୍କ କେସକୁ ଏଥିରେ ସଂଯୋଗ କରିବାକୁ କୌଣସି ଯୁକ୍ତିଯୁକ୍ତ ଆଧାର ନାହିଁ ।

ସ୍ୱତନ୍ତ୍ର ବିଚାରପତି ଜିବି ଗୁରୁଭ ଗତ ଶୁକ୍ରବାର ଦିନ ରିୟା, ଶୋଭିକ୍ ଏବଂ ଅନ୍ୟ ଚାରିଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିବା ସହ ଯଦି ଅଭିଯୁକ୍ତଙ୍କୁ ଜାମିନରେ ଛାଡି ଦିଆଯାଏ ତେବେ ସେ ପ୍ରମାଣକୁ ଖଣ୍ଡନ କରିପାରିବେ ବୋଲି ମନ୍ତବ୍ୟ ଦେଇଥିଲେ।