ଵିଜେପୁରରୁ ବିଜେଡି ପ୍ରାର୍ଥୀ ହେଲେ ରୀତା ସାହୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେପୁର ବିଧାନସଭା ଆସନ ପାଇଁ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛି । ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବିଜେପୁର ପ୍ରାର୍ଥୀ ଭାବେ ରୀତା ସାହୁଙ୍କ ନାଁ ଘୋଷଣା କରିଛନ୍ତି । ରୀତା ଦ୍ୱିତୀୟ ଥର ପାଇଁ ବିଜେପୁର ଉପନିର୍ବାଚନ ଲଢ଼ିବେ ।

ତାଙ୍କ ସ୍ୱାମୀ ତଥା ପୂର୍ବତନ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ଅନୁଷ୍ଠିତ ଉପନିର୍ବାଚନରେ ସେ ବିଜେଡ଼ି ପ୍ରାର୍ଥୀ ହୋଇ ଜିତିଥିଲେ । ତେବେ ଗତ ସାଧାରଣ ନିର୍ବାଚନରେ ନିଜେ ମୁଖ୍ୟମନ୍ତ୍ରୀ ବିଜେପୁରରୁ ପ୍ରାର୍ଥୀ ହେବାରୁ ରୀତାଙ୍କୁ ସୁଯୋଗ ମିଳି ନ ଥିଲା । ଆସନ୍ତା ୩୦ ତାରିଖରେ ଶ୍ରୀମତୀ ସାହୁ ପ୍ରାର୍ଥୀପତ୍ର ଦାଖଲ କରିବେ । ବିଜେପୁରବାସୀ ତାଙ୍କୁ ଦେଇଥିବା ଆଶିର୍ବାଦ ପାଇଁ ସେ ଋଣୀ ବୋଲି ମୁଖ୍ୟମନ୍ତ୍ରୀ ଆଜି ପ୍ରାର୍ଥୀ ଘୋଷଣା ବେଳେ କହିଥିଲେ । ବିଜେପୁର ତାଙ୍କ ପାଇଁ ଫୋକସ୍ ନିର୍ବାଚନମଣ୍ଡଳୀ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଛନ୍ତି ।

ସୂଚନାଯୋଗ୍ୟ, ୨୦୧୮ ବିଜେପୁର ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ରୀତା ସାହୁ ୧,୦୨,୮୭୧ ଖଣ୍ଡ ଭୋଟ ପାଇଥିଲେ । ନିକଟତମ ବିଜେପି ପ୍ରତିଦ୍ୱନ୍ଦୀ ଅଶୋକ ପାଣିଗ୍ରାହୀଙ୍କୁ ସେ ୪୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । ସେହିଭଳି ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ସେଠାରୁ ଲଢ଼ି ୧,୧୦,୪୮୨ ଭୋଟ ପାଇଥିଲେ । ବିଜେପି ପ୍ରାର୍ଥୀ ସନତ ଗର୍ତ୍ତିଆଙ୍କୁ ପ୍ରାୟ ୫୭ ହଜାର ଭୋଟରେ ପରାସ୍ତ କରିଥିଲେ ।

ମୁଖ୍ୟମନ୍ତ୍ରୀ ତାଙ୍କର ପାରମ୍ପରିକ ଆସନ ହିଞ୍ଜିଳିକୁ ହାତରେ ରଖି ବିଜେପୁର ଆସନ ଛାଡ଼ିଥିବାରୁ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ସେପଟେ ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିଲା । ଦଳର ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ପଣ୍ଡା । ପ୍ରାର୍ଥୀ ଘୋଷଣ ବିଜେପି ପଛରେ ରହିଯାଇଛି ।