କରୋନାକୁ ପରାସ୍ତ କରି ଦଳକୁ ଫେରିଲେ ଋଷଭ ପନ୍ତ, ଭାରତର ଇଂଲଣ୍ଡ ଗସ୍ତରେ ହେଲେ ସାମିଲ

ନୂଆଦିଲ୍ଲୀ,ଏଜେନ୍ସି: ଭାରତର ଇଂଲଣ୍ଡ ଗସ୍ତରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି ଋଷଭ ପନ୍ତ କରୋନାକୁ ପରାସ୍ତ କରି ଦଳକୁ ଫେରିଛନ୍ତି। ଏପରିକି ଋଷଭ ପନ୍ତ ଆଇସୋଲେସନ ଅବଧିକୁ ମଧ୍ୟ ପୂରା କରିଛନ୍ତି। ଏଥିସହିତ ସେ ଭାରତ ସହିତ ଇଂଲଣ୍ଡ ଗସ୍ତରେ ଯିବେ ବୋଲି ବିସିସିଆଇ ସ୍ପଷ୍ଟ କରିଛି।

ଋଷଭ ପନ୍ତ ସୁସ୍ଥ ହୋଇ ଟିମରେ ସାମିଲ ହୋଇଥିବାରୁ ବିସିସିଆଇ ଟୁଇଟ କରିଛି। ଟୁଇଟରେ ହେଲୋ ପନ୍ତ, ଟିମକୁ ପୁଣି ଫେରିଆସିବାରୁ ବହୁତ ଖୁସି ଲାଗୁଛି ବୋଲି କହିଛି।

ଋଷଭ ପନ୍ତ କରୋନା ଆକ୍ରାନ୍ତ ହୋଇଥିବା ନେଇ ବିସିସିଆଇ ଜୁଲାଇ ୧୫ ତାରିଖ ଦିନ ଘୋଷଣା କରିଥିଲା। ପନ୍ତଙ୍କ ସହିତ କୋଚ ଦୟାନନ୍ଦ ଗରାନି ମଧ୍ୟ କୋଭିଡ ସଂକ୍ରମିତ ହୋଇଥିଲେ। ତେବେ ବିସିସିଆଇର ଘୋଷଣା ବେଳକୁ ଋଷଭ ନିଜର ୮ ଦିନ ଆଇସୋଲେସନ ଅବଧିକୁ ପୂରା କରିସାରିଥିଲେ।