ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ୱିକେଟକିପର ବ୍ୟାଟ୍ସମେନ୍ ଋଷଭ ପନ୍ତ ପଡ଼ିଆକୁ ଫେରିବା ନେଇ ବଡ଼ ଅପଡେଟ ସାମ୍ନାକୁ ଆସିଛି । ଇଂଲଣ୍ଡ ବିରୋଧରେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ ପୂର୍ବରୁ ଋଷଭ ମ୍ୟାଚ୍ ଫିଟନେସ ସମ୍ପୂର୍ଣ୍ଣ ରୂପେ ହାସଲ କରିନେବେ । କିନ୍ତୁ ଋଷଭ ଏହି ଟେଷ୍ଟ ସିରିଜ ଖେଳିବେନି ବୋଲି ସୂଚନା ମିଳିଛି ।
ରିପୋର୍ଟ ମୁତାବକ, ଋଷଭ ପନ୍ତଙ୍କ ଗୋଡ଼ ଓ ଆଣ୍ଠୁ ଦିନକୁଦିନ ଭଲ ହେବାରେ ଲାଗିଛି । ଷ୍ଟମ୍ପ ପଛରେ ୱିକେଟକିପରଙ୍କ ପାଇଁ ହେଉଥିବା ସିଟ-ଅପ ଡ୍ରିଲ୍ସରେ ମଧ୍ୟ ଭଲ ସଙ୍କେତ ମିଳିଛି । ତାଙ୍କ ଫିଟନେସ ଲେଭଲରେ ହେଉଥିବା ପ୍ରଗତିକୁ ଦେଖି ଫେବୃଆରୀ ଶେଷ ସପ୍ତାହ ସୁଦ୍ଧା ପଡ଼ିଆକୁ ଫେରିବେ ବୋଲି ଆଶା କରାଯାଉଛି । ବିସିସିଆଇ ଋଷଭଙ୍କ କ୍ଷେତ୍ରରେ କୌଣସି ଅବହେଳା କରିବାକୁ ଚାହୁଁନି । ସେଥିପାଇଁ ଋଷଭ ଏବେ ସିଧାସଳଖ ଆଇପିଏଲ ୨୦୨୪ରେ ପଡ଼ିଆକୁ ଓହ୍ଲାଇବେ ।