ଧର୍ମାନ୍ତରୀକରଣକୁ ବିରୋଧ କରି ଗ୍ରାମରେ ଉତ୍ତେଜନା: ଧର୍ମ ପ୍ରଚାରକ ଅଟକ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକରେ ଦିନକୁ ଦିନ ଧର୍ମାନ୍ତରୀକରଣ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ରବିବାର ସାହାରପଡା ବ୍ଲକ କୁଣ୍ଡଳା ଗ୍ରାମପଞ୍ଚାୟତ ଜୟପୁର ଗ୍ରାମରେ ଖୀଷ୍ଟ ଧର୍ମ ପ୍ରଚାରକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ ସାହାର ପଡା ବ୍ଲକ କୁଣ୍ଡୁଳା ପଞ୍ଚାୟତ ଅନ୍ତର୍ଗତ ଜୟପୁର ଗ୍ରାମରେ ଖୀଷ୍ଟ ଧର୍ମ ପ୍ରଚାର କରୁଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଧର୍ମ ପ୍ରଚାର କରୁଥିବା ସ୍ବାମୀ ସ୍ତ୍ରୀଙ୍କୁ ଗ୍ରାମବାସୀ ଅଟକ ରଖିଥିଲେ। ଉଭୟ ଦମ୍ପତି ଗ୍ରାମରେ ଖ୍ରୀଷ୍ଟିଆନ ଧର୍ମ ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ଉତ୍ତେଜନାର ଖବର ପାଇ ଘଟଣାସ୍ଥଳରେ ଜିଲ୍ଲା ହିନ୍ଦୁ ଜାଗରଣର ମୁଖ୍ୟ ସଂଯୋଜକ ଶିବାଜୀ ଗୌତମ ମହାନ୍ତ ବର୍ମା ପହଞ୍ଚି ପାଟଣା ଥାନାକୁ ଖବର ଦେଇଥିଲେ।

ପାଟଣା ଥାନା ଅଧିକାରୀ ଶୋମନାଥ ଜେନା, ଏସଆଇ ଅରୂପ କୁମାର ସାମଲ ପହଞ୍ଚି ବେଆଇନ ଧର୍ମ ପ୍ରଚାର କରୁଥିବା ସ୍ବାମୀ-ସ୍ତ୍ରୀଙ୍କୁ ଉଧାର କରି ଥାନାକୁ ଆଣି ତଦନ୍ତ ଚଳାଇଛନ୍ତି। ଧର୍ମ ପ୍ରଚାରକ ଦମ୍ପତି ହେଉଛନ୍ତି ଆନନ୍ଦପୁର ଥାନା ସାନକୁସୁପଦା ଗ୍ରାମର ହମ୍ବାଇ ଟୁଡୁ (୪୦) ଓ ହୀରା ଟୁଡୁ(୩୫) । ସେମାନଙ୍କ ଠାରୁ କିଛି ପ୍ରଚାରପତ୍ର ଜବତ କରାଯିବା ସହିତ ଧର୍ମ ପ୍ରଚାରକ ବହି ପୁଲିସ ଜବତ କରିଛି।

ଦିନକୁ ଦିନ ଆଦିବାସୀ ଅଧ୍ୟୁସିତ କେନ୍ଦୁଝର ଜିଲ୍ଲାରେ ବେଆଇନ ଧର୍ମାନ୍ତରୀ କରଣ ବୃଦ୍ଧି ପାଉଥିବାରୁ ଅନେକ ସମୟରେ ଉତ୍ତେଜନା ଦେଖାଦେଉଥିବା ବେଳେ ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ନଦେଲେ ଆଗାମୀ ଦିନରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟିହେବାର ତ୍ତିଳେ ମାତ୍ର ସନ୍ଦେହ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।