ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ତହସିଲ କୁଆପଶି ମୌଜାର ଏକ ପ୍ଲଟରେ ପ୍ରସ୍ତାବିତ ରାଇସ ମିଲ୍ କୁ ଗ୍ରାମବାସୀ ବିରୋଧ କରିଛନ୍ତି। ଉକ୍ତ ସ୍ଥାନରେ ରାଇସ ମିଲ୍ ସ୍ଥାପନ ପାଇଁ ନାରାୟଣ ରାଇସ ମିଲ୍, ହୁଣ୍ଡଳା ଓ କେନ୍ଦୁଝର ପକ୍ଷରୁ ବଡ଼ପାଟଣା ପଞ୍ଚାୟତକୁ ଦରଖାସ୍ତ କରାଯାଇଥିଲା। ଏନେଇ ବଡ଼ପାଟଣା ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ଗତ ଫେବୃଆରୀ ୧ ତାରିଖରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ମହାପାତ୍ର ଓ ୱାର୍ଡ ମେମ୍ବର କୁନା ମୁଣ୍ଡାଙ୍କ ଉପସ୍ଥିତରେ ପଲ୍ଲୀସଭା ହୋଇଥିଲା। ଏହାଯୋଗୁଁ ଚାଷ ଜମି ପ୍ରଭାବିତ ଓ କାରଖାନାରୁ ନିର୍ଗତ ଧୁଆଁରୁ ରୋଗ ହେବା ଆଶଙ୍କା କରି ଗ୍ରାମବାସୀ ବିରୋଧ କରିଥିଲେ। ଫଳରେ ଫେବ୍ରୁୟାରୀ ୪ ତାରିଖରେ ପ୍ରସ୍ତାବିତ ରାଇସ ମିଲ୍ ଆବେଦନକୁ ଖାରଜ କରାଯାଇଥିଲା। ଏନେଇ ସ୍ଥାନୀୟ ବଡ଼ପାଟଣା ସରପଞ୍ଚ ଚନ୍ଦ୍ରଶେଖର ନାୟକଙ୍କୁ ପଚାରିବାରୁ ପ୍ରଥମଥର ପଲ୍ଲୀସଭାରେ ଲୋକମାନେ ବିରୋଧ କରିଥିଲେ। ପୁନର୍ବାର ଉକ୍ତ ଗ୍ରାମର ଲୋକମାନେ ରାଇସ ମିଲ୍ ସ୍ଥାପନ ପାଇଁ ଦରଖାସ୍ତ ଦେଇଥିବାରୁ ପୁଣି ପଲ୍ଲିସଭା ପାଇଁ ନୋଟିସ ଦିଆଯାଇଛି। ଅନ୍ୟପକ୍ଷରେ କୁଆପଶି ଗ୍ରାମରେ ରାଇସ ମିଲ ହେଲେ ଏହା ବିରୋଧରେ ଆନ୍ଦୋଳନ କରାଯିବ ବୋଲି ଆଜି ଗ୍ରାମର ବିରଞ୍ଚି ମହନ୍ତ, ଲୋଚନ ମହାନ୍ତ ଓ ୱାର୍ଡମେମ୍ବର କୁନା ମୁଣ୍ଡା ଚେତାବନୀ ଦେଇଛନ୍ତି।