୧୦ ଟଙ୍କାରେ ଭାତ ଡାଲମା

ବରଗଡ଼ରେ ଖୋଲିଲା ବେସରକାରୀ ଆହାର କେନ୍ଦ୍ର

ବରଗଡ଼, ଏନ୍ଏନ୍ଏସ୍ : ବରଗଡ଼ ସହରର ମହିଳା ମହାବିଦ୍ୟାଳୟ ସମ୍ମୁଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆହାର କେନ୍ଦ୍ର ଥିବାବେଳେ ବହୁ ଗରିବ ଜନସାଧାରଣ ଏହି ଆହାରରୁ ବଞ୍ôଚତ ହେଉଛନ୍ତି, ଯାହାକୁ ଦୃଷ୍ଟିରେ ରଖି ରେଲୱେ ଷ୍ଟେସନ ଅଞ୍ଚଳରେ ବେସରକାରୀ ଭାବରେ ଆରମ୍ଭ ହୋଇଛି ଅନ୍ୟ ଏକ ଆହାରକେନ୍ଦ୍ର। ଯାହାକି ବିଶିଷ୍ଟ ସମାଜସେବୀ ଗୁଡ୍ଡି ରାଓ ଆରମ୍ଭ କରିଥିବା ବେଳେ ଏଠାରେ ୧୦ ଟଙ୍କାରେ ସମସ୍ତଙ୍କୁ ପେଟଭରି ଖାଇବାକୁ ଦିଆଯାଉଛି।

ବରଗଡ଼ ରେଲୱେ ଷ୍ଟେସନ ନିବାସୀ ଗୁଡ୍ଡି ରାଓ, ସମାଜସେବା କ୍ଷେତ୍ରରେ ସହରରେ ବେଶ ପରିଚିତ। ତେବେ ସମାଜସେବା ସହ ସେ ଆରମ୍ଭ କରିଛନ୍ତି ୧୦ ଟଙ୍କିଆ ଡାଲମା ଭାତ ଯୋଜନା। ତାଙ୍କ ଦ୍ୱାରା ପରିଚାଳିତ ସାଇ ଆଧାର କେନ୍ଦ୍ରରେ ସକାଳ ୧୧ ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମାତ୍ର ୧୦ ଟଙ୍କାରେ ଭାତ ଡାଲମା ସହ ଆଚାର ଦିଆଯାଉଛି। ବୁଧବାର ଠାରୁ ଏହି ଆଧାର କେନ୍ଦ୍ର ଆରମ୍ଭ ହୋଇଥିବା ବେଳେ ଏହାକୁ ବରଗଡ଼ ଟାଉନ ଥାନା ଅଧିକାରୀ ସଦାନନ୍ଦ ପୂଜାରୀ ଓ ଏସଆଇ ସନୟ ନାୟକ ଉଦଘାଟନ କରିଥିଲେ।

ପ୍ରତିଦିନ ଏହି ଆହାର କେନ୍ଦ୍ରରେ ୩ ଶହ ଜଣଙ୍କୁ ମାତ୍ର ୧୦ ଟଙ୍କାରେ ପେଟପୁରା ଖାଇବାକୁ ଦିଆଯିବ ବୋଲି ଜଣାପଡିଛି। ବୁଧବାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନ ବରଗଡ଼ ଆହାର କେନ୍ଦ୍ରକୁ ପରିଦର୍ଶନରେ ଯାଇ ସେଠାରେ ଖାଦ୍ୟ ଖାଇଛନ୍ତି। ଅଧ୍ୟକ୍ଷ ଚୌହାନ ଧାଡ଼ିରେ ରହି ରସିଦ କାଟିବା ସହ ଆହାର କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟ ଖାଇଥିଲେ। ଅଧ୍ୟକ୍ଷ ଚୌହାନଙ୍କ ଏପରି ଅଚାନକ ଗସ୍ତ ଏବଂ ଆହାର କେନ୍ଦ୍ରରେ ଖାଦ୍ୟ ଖାଇବାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ତାଙ୍କ ସହ ଇଂ ଦେବବ୍ରତ ମିଶ୍ରଙ୍କ ସମେତ ବହୁ ସମର୍ଥକ ଆହାର କେନ୍ଦ୍ରରେ ଖାଇଥିଲେ।