ସ୍ୱାଭିମାନ ଅଞ୍ଚଳରେ ପୁଲିସ ବିରୋଧରେ ଆଦିବାସୀଙ୍କ ରାଲି

ମାଲକାନଗିରି,କୋରୁକୋଣ୍ଡା,ଏନ୍ଏନ୍ଏସ୍: ମଙ୍ଗଳବାର ଅପରାହ୍ଣରେ ଓଡିଶା ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଶତାଧିକ ଆଦିବାସୀ ରାଲି କରିଥିବା ଦେଖିବାକୁ ମିଳିଥିଲା। ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ରାଲେଗାଡ଼ା ପଞ୍ଚାୟତର ବିଶାଖାପାଟଣା ଜିଲ୍ଲାର ପେଦାବାଇଲୁ ଥାନା ଇଞ୍ଜେଇଠାରେ ଶହଶହ ଆଦିବାସୀ ଏକାଠି ହୋଇ ପୁଲିସ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏହି ରାଲି ମାଧ୍ୟମରେ ସେମାନେ କହିଥିଲେ ଯେ, ପୁଲିସ ନିରୀହ ଆଦିବାସୀଙ୍କୁ ନକ୍ସଲ ଓ ନକ୍ସଲ ସମର୍ଥକ କହି ଗିରଫ କରିବା ବନ୍ଦକରୁ। ଗିରଫ କରିଥିବା ୬ଜଣଙ୍କୁ ତୁରନ୍ତ ବିନା ସର୍ତ୍ତରେ ମୁକ୍ତ କରୁ। ନିରୀହ ଆଦିବାସୀଙ୍କ ଉପରେ ଜୁଲମ କରିବା ବନ୍ଦ କରାଯାଉ। ଯଦି ପୁଲିସ ନକ୍ସଲ ନାମରେ ଅତ୍ୟାଚାର ବନ୍ଦ ନକରେ ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଆଦିବାସୀମାନେ ଚେତାବନୀ ଦେଇଥିଲେ।