ଭିଜିଲାନ୍ସ ଜାଲରେ ଆରଆଇ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର କାଲିମେଳା ତହସିଲ ଅନ୍ତର୍ଗତ ମାନ୍ୟମକୋଣ୍ଡା ରାଜସ୍ୱ ନିରୀକ୍ଷକ ଲକ୍ଷ୍ମୀ ନାରାୟଣ ଖଣ୍ଡୁଆଳ ଗତକାଲି ରାତ୍ରିରେ ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଲକାନଗିରି ଦୁର୍ନୀତି ନିବାରଣ ଅଧିକାରୀଙ୍କ ଦ୍ୱାରା ଧରାପଡ଼ିଛନ୍ତି। ସୂଚନା ଅନୁସାରେ ଏମଭି- ୬୭ ଗ୍ରାମର ଦୀପଙ୍କର ମଣ୍ଡଳ ନିଜ ଜମିର ମ୍ୟୁଟେସନ କରିବା ପାଇଁ ରାଜସ୍ୱ ନିରୀକ୍ଷକ ଶ୍ରୀ ଖଣ୍ଡୁଆଳଙ୍କୁ ଅନୁରୋଧ କରିଥିଲେ। ତେବେ ଏଥିପାଇଁ ସେ ୫୦ହଜାର ଟଙ୍କା ଦାବି କରିଥିଲେ। ଏ ନେଇ ଦୀପଙ୍କର ମାଲକାନଗିରି ଦୁର୍ନୀତିନିବାରଣ ବିଭାଗକୁ ଅଭିଯୋଗ କରିଥିଲେ।

ଜୟପୁର ଦୁର୍ନୀତି ନିବାରଣ ବିଭାଗ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଯୋଜନା ମୁତାବକ କାଲିମେଳାସ୍ଥିତ ରାଜସ୍ୱ ନିରୀକ୍ଷକଙ୍କ ବାସଗୃହରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଲକାନଗିରି  ଡିଏସପି ସୁଶାନ୍ତ କୁମାର ବିଶ୍ୱାଳ, ଇନ୍ସପେକ୍ଟର ଆର ବିଜୟ କୁମାର ଓ ଜୟପୁର ଇନ୍ସପେକ୍ଟର ସୂର୍ଯ୍ୟକାନ୍ତି ଟାକ୍ରି ତାଙ୍କୁ ଧରିଥିଲେ। ଗିରଫ ପରେ ଲକ୍ଷ୍ମୀ ନାରାୟଣ କାଲିମେଳା ସ୍ଥିତ ସରକାରୀ କ୍ୱାର୍ଟର୍ସରେ ଭିଜିଲାନ୍ସ ଚଢ଼ଉ କରିଛି। ଆସନ୍ତାକାଲି ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି।