ଉପନିର୍ବାଚନ ଲାଗି ସମୀକ୍ଷା ବୈଠକ : ଭୋଟ୍ ଦେଇପାରିବେ କୋଭିଡ୍ ସଂକ୍ରମିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଖାଲି ହୋଇଥିବା ଦୁଇଟି ବିଧାନସଭା ଆସନ ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଉପନିର୍ବାଚନ ପାଇଁ ବିଧିବଦ୍ଧ ପ୍ରସ୍ତୁତି ଆରମ୍ଭ ହୋଇଛି। ଯଦିଓ ଉପନିର୍ବାଚନ ନେଇ ଏଯାବତ୍ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହୋଇନି, ତଥାପି କୋଭିଡ୍ ସଂକ୍ରମଣ ସମୟରେ କିପରି ଉପନିର୍ବାଚନ ହେବ, ସେ ନେଇ ବିଚାର ବିମର୍ଷ କରାଯାଇଛି।
ବୁଧବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିିଇଓ) ସୁଶୀଲ କୁମାର ଲୋହାନୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାଲେଶ୍ୱର ଓ ଜଗତସିଂହପୁରର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଓ ଏସପିଙ୍କ ସହ ଉପନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସମ୍ପ୍ରତି କୋଭିଡ୍-୧୯ ମହାମାରୀ ପରିପ୍ରେକ୍ଷୀରେ ସୁରୁଖୁରୁରେ ଉପନିର୍ବାଚନ ପରିଚାଳନା କରିବା ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ସେ କହିଛନ୍ତି। ନିର୍ବାଚନ ସମୟରେ କୋଭିଡ୍-୧୯ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ସାମାଜିକ ଦୂରତ୍ୱ, ଥର୍ମାଲ ସ୍କ୍ରିନିଂ, ମାସ୍କ ପିନ୍ଧିବା, ଗ୍ଲୋବସ ପରିଧାନ, ସାନିଟାଇଜର ବ୍ୟବହାର, ଉଭୟ ଭୋଟର ଓ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରାଯାଇଛି। କୋଭିଡ୍-୧୯ ମହାମାରୀ ଦୃଷ୍ଟିରୁ ନିର୍ବାଚନ ସମୟରେ ଜଣେ ଅଭିଜ୍ଞ ଡାକ୍ତରଙ୍କୁ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ସ୍ତରରେ ନୋଡାଲ ସ୍ୱାସ୍ଥ୍ୟାଧିକାରୀ ଭାବେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ସିଇଓ ଶ୍ରୀ ଲୋହାନୀ ଗୁରୁତ୍ୱାରୋପ କରିଥିଲେ। ସେହିପରି ନିର୍ବାଚନ ସମୟରେ ସାମାଜିକ ଦୂରତା ବଜାୟ ରଖିବା ସହ ଗୋଟିଏ ବୁଥରେ ସର୍ବାଧିକ ଏକ ହଜାର ମତଦାତା ମତଦାନ କରିପାରିବେ। ଜିଲ୍ଲାର ନିର୍ବାଚନ ଅଧିକାରୀମାନେ ସମ୍ପୃକ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଅତିରିକ୍ତ ବୁଥ୍ ଗଠନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦିଆଯାଇଛି।

କୋଭିଡ୍ ଆକ୍ରାନ୍ତ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ଆଇସୋଲେସନ୍ ସେଣ୍ଟର ଓ କୋଭିଡ୍ ସଂକ୍ରମିତ ଭୋଟରଙ୍କୁ ଭୋଟଦାନ ସମୟରେ ଶେଷ ପର୍ଯ୍ୟାୟରେ ମତଦାନ କରିବାକୁ ଅନୁମତି ପ୍ରଦାନ କରାଯିବ। ନିର୍ବାଚନ କାର୍ଯ୍ୟ ନିମନ୍ତେ ନିୟୋଜିତ କର୍ମଚାରୀ ଓ ସେମାନଙ୍କୁ ତାଲିମ୍ ବ୍ୟବସ୍ଥା, ଯାନବାହନର ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଷ୍ଟ୍ରଙ୍ଗରୁମ ଓ ଭୋଟ୍ ଗଣତି କେନ୍ଦ୍ର ସମ୍ପର୍କରେ ଆଜି ସିଇଓ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଭବାନୀ ପ୍ରସାଦ ରାୟ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ବାଲେଶ୍ୱର ଓ ଜଗତସିଂହପୁରର ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ବାଲେଶ୍ୱର ବିଧାୟକ ମଦନ ମୋହନ ଦତ୍ତ ଓ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ହୋଇଥିବାରୁ ଏହି ଦୁଇଟି ଆସନରେ ଉପନିର୍ବଚନ ହେବାକୁ ଯାଉଛି। ଆସନ୍ତା ନଭେମ୍ବର ମାସ ପୂର୍ବରୁ ଏହି ଦୁଇଟି ଆସନରେ ଉପନିର୍ବାଚନ ହୋଇପାରେ। ଏଥିପାଇଁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି।