ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସୁବର୍ଣ୍ଣପୁରରେ ରାଜସ୍ୱ ସମୀକ୍ଷା ବୈଠକ

ସୁବର୍ଣ୍ଣପୁର,ଏନ୍‌ଏନ୍‌ଏସ୍‌: ସୁବର୍ଣ୍ଣପୁରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧା ରୋଡ ବଲାଙ୍ଗୀର ରେଳଲାଇନ, ସମ୍ବଲପୁର-ଟିଟଲାଗଡ଼ ରେଳଲାଇନ ନିମନ୍ତେ ତ୍ୱରିତ ଜମି ଅଧିଗ୍ରହଣ, ଦାଖଲ ଖାରଜ ମାମଲା ଓ ଘରବାଡ଼ି ପଟ୍ଟା ମାମଲାର ତୁରନ୍ତ ଫଇସଲା ପାଇଁ ନିର୍ଦ୍ଦେଶ, ବରଗଡ଼ରୁ ବରପାଲି ଓ ବରପାଲିରୁ ବଲାଙ୍ଗୀର ରାସ୍ତା ପ୍ରଶସ୍ତିକରଣ, ତରଭା ତହସିଲଦାରଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଉପରେ ଗୁରୁତ୍ୱାରୋପ ଦିଆଯାଇଥିଲା ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସୁବର୍ଣ୍ଣପୁର ଗସ୍ତରେ ଆସି ଜିଲ୍ଲାର ରାଜସ୍ୱ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ବିଭିନ୍ନ ବର୍ଗର ଲୋକ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ତାଙ୍କର ଅଭିଯୋଗ ଶୁଣାଇଥିଲେ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ଶୁଣି ତୁରନ୍ତ ଫଇସଲା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଭାଗୀୟ ମୁଖ୍ୟଙ୍କ ଦ୍ୱାରା ଏହିପରି ରାଜସ୍ୱ ସମୀକ୍ଷା ବୈଠକ ଦ୍ୱାରା ରାଜସ୍ୱ ବିଭାଗ ଅଧିକ କ୍ରିୟାଶୀଳ ଓ ଗତିଶୀଳ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ବିଭାଗର ବହୁ ବରିଷ୍ଠ ଅଧିକାରୀ, ଆଇଜିଆର ଭୂ ଅଭିଲେଖ ଓ ସର୍ବେକ୍ଷଣ ସଂସ୍ଥାର ନିର୍ଦ୍ଦେଶକ ଓ ଏନଆଇସିର ବରିଷ୍ଠ ଅଧିକାରୀ ଅନଲାଇନ ମାଧ୍ୟମରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ସୁବର୍ଣ୍ଣପୁର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜମି ଗ୍ରହଣ ଅଧିକାରୀ, ସ୍ୱତନ୍ନ ଜମି ଗ୍ରହଣ ଅଧିକାରୀ, ତହସିଲଦାର, ରେଳ ବିଭାଗର ଅଧିକାରୀ ଓ ଅନ୍ୟାନ୍ୟ କ୍ଷେତ୍ରାଧିକାରୀମାନେ ଯୋଗ ଦେଇଥିଲେ ।