ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ରେଭିନ୍ୟୁ ଇନସପେକ୍ଟର

  • ଫୁଲବାଣୀ, ଏନଏନଏସ: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ରେଭିନ୍ୟୁ ଇନସପେକ୍ଟର। ୩ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ କନ୍ଧମାଳ ଜିଲ୍ଲାର ଜଣେ ଲାଞ୍ଚୁଆ ରେଭିନ୍ୟୁ ଇନସପେକ୍ଟର। ସେ ହେଲେ ଖଜୁରୀପଡା ତହସିଲ ଅନ୍ତର୍ଗତ ଗୁଦାରି ଆରଆଇ ସୁନୀଲ ଦିଗାଲ।
    ସୂଚନାନୁଯାୟୀ, ଖଜୁରୀପଡା ତହସିଲ ଅନ୍ତର୍ଗତ ଗୁଦାରି ଆରଆଇ ସୁନୀଲ ଦିଗାଲ ଜମି ବିଭାଜନର ଚୂଡାନ୍ତ ରିପୋର୍ଟ ଦେବା ପାଇଁ ସଦର ଥାନା ଅଞ୍ଚଳ ବୁଢାଦାନୀର ପ୍ରକାଶ ଚନ୍ଦ୍ର ଦେହୁରୀଙ୍କୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ନଦେଲେ ରିପୋର୍ଟ ଦିଆଯିବନି ବୋଲି ସିଧା ଜଣାଇଥିଲେ। କିନ୍ତୁ ପ୍ରକାଶ ଏତେ ଟଙ୍କା ଦେଇପାରିବି ନାହିଁ କହିବାରୁ ଆରଆଇ ୩ ହଜାର ଟଙ୍କାରେ କାମ କରିଦେବା ପାଇଁ ରାଜି ହୋଇଥିଲେ। ଏନେଇ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ ପ୍ରକାଶ। ତେବେ ଆଜି ସକାଳେ ଗୁଦାରି ଆରଆଇ ସୁନୀଲ କୁମାର ଦିଗାଲ ପ୍ରକାଶଙ୍କ ନିକଟରୁ ଟଙ୍କା ନେବାବେଳେ ପୂର୍ବପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ହାତରେ ଧରା ପଡିଥିଲେ। ଭିଜିଲାନ୍ସ ବିଭାଗ ପକ୍ଷରୁ ସୁନୀଲଙ୍କ ଫୁଲବାଣୀ କଲେଜ ଛକରେ ଥିବା ଘର ଏବଂ କାର୍ଯ୍ୟାଳୟରେ ଚଢ଼ଉ କରାଯାଇଛି। ସୁନୀଲଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଛି। ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏନେଇ କେସ୍ ନଂ ୧୨/୨୧ରେ ଏକ ମାମଲା ରୁଜୁ ହୋଇଛି।