ଡ଼ଙ୍ଗରିଆଙ୍କ ଲେଉଟାଣି ଦଶହରା

ରାୟଗଡ଼ା,ଏନ୍ଏନ୍ଏସ୍: ନିଆରା ମଣିଷ ନିଆରା ପରମ୍ପରା । ସବୁବେଳେ ପ୍ରକୃତିର ଚଳନିରେ ବନ୍ଧା ଏ ସମାଜ ଆମେ କହୁଛୁ ରାୟଗଡ଼ା ଜିଲ୍ଲାର ଆଦମ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କ କଥା । ସାରା ଦେଶ ଦଶହରାରେ ମସୁଗୁଲ ଥିବା ବେଳେ ଏମାନେ କିନ୍ତୁ ପାଳିଥାନ୍ତି ଲେଉଟାଣି ଦଶହରା ।

ଅର୍ଥାତ ରାଜ ରାଜୁଡ଼ା ଶାସନ ସମୟରେ ଦଶହରା ଦିନ ରଜାଘରକୁ ଭେଟି ସାଙ୍ଗରେ ନିଜ ନିଜ ଅଞ୍ଚଳର ପ୍ରତିକ ଦେବୀଙ୍କୁ ନେଇ ରାଜାଙ୍କ ଠାରୁ ଶିରପା ପାଉଥିଲେ ଏବଂ ରାଜ ଉଆସରେ ପ୍ରତିକ ଦେବୀଙ୍କର ମଧ୍ୟ ପୂଜାର୍ଚ୍ଚନା ହେଉଥିଲା । ଦଶହରା ପରେ ଚାଲି ଚାଲି ଗାଁ ଠାକୁରାଣିଙ୍କୁ ଧରି ଯେଉଁଦିନ ନିଜ ଗାଁକୁ ଫେରନ୍ତି ସେହିଦିନ ଗାଁର ଆବାଳ ବୃଦ୍ଧବନିତା ମିଶି ପାଳନ କରିଥାନ୍ତି ଲେଉଟାଣି ଦଶହରା । ତେବେ ଏବେ ଆଉ ରାଜା ନାହାନ୍ତି କି ରାଜତନ୍ତ୍ର ନାହିଁ, କିନ୍ତୁ ବଞ୍ଚି ରହିଛି ପ୍ରଥା ।

ସେହିପରି ଚଳିତ ବର୍ଷ ମଧ୍ୟ କୁର୍ରଲି ଗାଁର ଜାନିର ଗାଁ ଠାକୁରାଣି ସହିତ ନିୟମ ରାଜାର ପୂଜାପରେ ଜଙ୍ଗଲରୁ ସଂଗୃହତି ମହୁ ଫେଣାକୁ ପ୍ରତ୍ୟକ ଘରକୁ ସମାନ ଭାଗରେ ବଣ୍ଟା ଯିବା ସହ ଢ଼ୋଲ, ନିଶାଣ ଏବଂ ମହୁରିକୁ ସ୍ୱତନ୍ତ୍ର ଭାବେ ପୂଜା କରାଯାଇଥିଲା । ବିଶ୍ୱାସ ରହିଛି ଲେଉଟାଣି ଦଶହରାରେ ଢ଼ୋଲ ଓ ନିଶାଣକୁ ପୂଜାକଲେ ବର୍ଷ ସାରା ଗାଁ ହସ ଖୁସିରେ ବିତିବ ବୋଲି ମହୁରିଆ କାଡ଼୍ରାକା ଲଇଖନ କହିଛନ୍ତି ।

ସେପଟେ ଏହି ଦିନ ଗାଁ ମୁଣ୍ଡରେ ଅଶାନ୍ତ ପ୍ରେତାତ୍ମାକୁ ମଧ୍ୟ ଶାନ୍ତ କରିବା ପାଇଁ ଗୋଟିଏ କଦଳୀ କାନ୍ଦିସହ କୁକୁଡ଼ା ଦେବାକୁ ପଡ଼ିଥାଏ । ଫଳରେ ଗାଁକୁ ଆଉ ଖରାପ ଶକ୍ତିର ନଜର ରହିବନି ବୋଲି ବିଶ୍ୱାସ ରହିଥିବା କହିଛନ୍ତି ଡ଼ଙ୍ଗରିଆ ସଂସ୍କୃତି ଗବେଷକ ସୁର୍ଯ୍ୟନାରାୟଣ ପାଢ଼ୀ ।