୧୦୦ ଦିନରେ ରିଟେଲ୍ କ୍ଷେତ୍ରର କ୍ଷତି ୧୫ ଲକ୍ଷ କୋଟି

ନୂଆଦିଲ୍ଲୀ,ଏଜେନ୍ସି: କରୋନା ସଂକ୍ରମଣ ପ୍ରଭାବ ଭାରତୀୟ ଅର୍ଥନୀତି ବ୍ୟବସ୍ଥାର ବିଭିନ୍ନ ଦିଗକୁ ବିପର୍ଯ୍ୟସ୍ତ କରି ଦେଇଥିବା ବେଳେ ରିଟେଲ୍ କ୍ଷେତ୍ର ବ୍ୟବସାୟକୁ ଶକ୍ତ ଧକ୍କା ଦେଇଛି। ବିଗତ ୧୦୦ ଦିନ ମଧ୍ୟରେ ଭାରତୀୟ ରିଟେଲ୍ କ୍ଷେତ୍ରରେ ଅନ୍ୟୂନ ୧୫.୫ ଲକ୍ଷ କୋଟି ଟଙ୍କାର କ୍ଷତି ଘଟିଛି ବୋଲି ଅଖିଳ ଭାରତୀୟ ବାଣିଜ୍ୟ ମହାସଂଘ (ସିଏଆଇଟି) ପକ୍ଷରୁ କୁହାଯାଇଛି।

ଭାରତରେ କରୋନା ସଂକ୍ରମଣ ଜନିତ ସମସ୍ୟା ଦେଖାଯିବା ପରେ ସାରା ଦେଶରେ ଲକଡାଉନ୍ ଜାରି କରାଯାଇଥିଲା ବେଳେ ବର୍ତ୍ତମାନ ମଧ୍ୟ ଅନେକ ରାଜ୍ୟରେ ସ୍ଥିତି ଗମ୍ଭୀର ରହିଛି। ଏହାକୁ ନେଇ ରିଟେଲ୍ କ୍ଷେତ୍ରର ବ୍ୟବସାୟ ସର୍ବାଧିକ ପ୍ରଭାବିତ ହୋଇଛି ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ବିଶେଷକରି ଗ୍ରାହକ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବାବେଳେ କର୍ମଚାରୀଙ୍କ ଅଭାବକୁ ନେଇ ବ୍ୟବସାୟ ପରିଚାଳନା କରିବା କଷ୍ଟକର ହୋଇପଡ଼ିଛି। ଏନେଇ ବ୍ୟବସାୟୀମାନଙ୍କ ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ହେବାରେ ଲାଗିଛି ବୋଲି ସିଏଆଇଟିର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ପ୍ରକାଶ କରିଛନ୍ତି।

ସାଂପ୍ରତିକ ସ୍ଥିତିରେ ସାରା ଦେଶରେ ରିଟେଲ ବ୍ୟବସାୟୀମାନେ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଗତି କରୁଥିବାବେଳେ ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବା ଉଚିତ୍। ନଚେତ୍ ଆଗାମୀ ଦିନରେ ପ୍ରାୟ ୨୦ ପ୍ରତିଶତ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ହୋଇଯିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ଦେଶର ବିଭିନ୍ନ ଭାଗରେ ଉପୁଜିଥିବା ସ୍ଥିତିକୁ ନେଇ ମହାସଂଘ ପକ୍ଷରୁ ତଥ୍ୟ ନିଆଯାଇଥିବା ବେଳେ ଲକଡାଉନ୍ ସମୟରେ ହାରାହାରି ଭାବେ ମାତ୍ର ୧୦ ପ୍ରତିଶତ ଗ୍ରାହକଙ୍କ ଦ୍ୱାରା କାରବାର ହେଉଥିବା କୁହାଯାଇଛି।