ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇଛି। ସିଏଚଏସଇ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି। ଶ୍ରୀ ଦାସଙ୍କ ସୂଚନା ଅନୁସାରେ ଚଳିତ ବର୍ଷ କଳାରେ ୨,୧୯,୭୧୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେଥିରୁ ୧,୪୮,୪୫୨ ଜଣ ପାସ କରିଛନ୍ତି। ଗତବର୍ଷ କଳାରେ ୬୫.୮୯ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ଚଳିତ ବର୍ଷ ଏଥିରେ ୧.୬୭ ପ୍ରତିଶତ ବୃଦ୍ଧି ହୋଇ ୬୭.୫୬ ପ୍ରତିଶତ ରେଜଲ୍ଟ ହୋଇଛି।

କଳାରେ ପ୍ରଥମ ଶ୍ରେଣୀରେ ୨୨,୧୯୬ ଜଣ, ଦ୍ୱିତୀୟ ଶ୍ରେଣୀରେ ୨୬,୦୨୭ ଜଣ ଓ ତୃତୀୟ ଶ୍ରେଣୀରେ ୧,୦୦,୧୦୧ ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ଜଣେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଜଣାପଡ଼ିଛି। ସେଥିମଧ୍ୟରେ ୯୬,୯୨୧ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୫୫,୭୬୬ ଜଣ ପାସ କରିଛନ୍ତି ଯାହାକି ୫୭.୫୩%। ସେହିପରି ୧,୨୨,୭୯୫ ଜଣ ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୯୨,୬୮୬ ଜଣ ପାସ କରିଛନ୍ତି ଯାହାକି ୭୫.୪୮%।

ସେହିପରି କଳାରେ ସର୍ବାଧିକ ପାସହାର ବରଗଡ଼ ଜିଲ୍ଲା (୬୭.୬୩%)ରୁ ରହିଥିବାବେଳେ ସର୍ବନିମ୍ନ ପାସହାର ନବରଙ୍ଗପୁର ଜିଲ୍ଲା (୪୪.୬୭%)ରେ ରହିଛି। ସେହିପରି ୧୦ଟି କଲେଜରେ କଳାରେ ଶହେ ପ୍ରତିଶତ ରେଜଲ୍ଟ ହୋଇଛି।

ଅନ୍ୟପଟେ ଆଜି ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ୭,୦୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୪,୦୪୬ ଜଣ ପାସ କରିଛନ୍ତି ଯାହାକି ୫୭.୫୩ ପ୍ରତିଶତ। ସେଥିରୁ ୩,୭୩୦ ଜଣ ଛାତ୍ର ପରୀକ୍ଷା ଦେଇଥିବାବେଳେ ୧,୯୪୧ ଜଣ ପାସ କରିଛନ୍ତି ଯାହାକି ୫୨.୦୩ ପ୍ରତିଶତ। ସେହିପରି ୩,୩୦୨ ଜଣ ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୨,୧୦୫ ଜଣ ପାସ କରିଛନ୍ତି ଯାହାକି ୬୩.୭୫ ପ୍ରତିଶତ।

ତେବେ ଧନ୍ଦାମୂଳକ ଶିକ୍ଷାରେ ପ୍ରଥମ ଶ୍ରେଣୀରେ ୫୮୫ ଜଣ, ଦ୍ୱିତୀୟ ଶ୍ରେଣୀରେ ୧,୩୨୭ ଜଣ ଓ ତୃତୀୟ ଶ୍ରେଣୀରେ ୧,୯୮୯ ଜଣ ପାସ କରିଥିବାବେଳେ ଜଣେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ପାସ କରିଥିବା ଜଣାପଡ଼ିଛି। ସେହିପରି ସର୍ବାଧିକ ରେଜଲ୍ଟ ବରଗଡ଼ ଜିଲ୍ଲାରୁ (୭୮.୪୦%) ହୋଇଥିବାବେଳେ ସର୍ବନିମ୍ନ ରେଜଲ୍ଟ ନବରଙ୍ଗପୁର ଜିଲ୍ଲାରେ (୧୨.୫୦%) ହୋଇଛି। ସେହିପରି ଶହେ ପ୍ରତିଶତ ରେଜଲ୍ଟ ୫ଟି କଲେଜରେ ହୋଇଥିବାବେଳେ ଜିରେ ରେଜଲ୍ଟ ୧୦ଟି କଲେଜରେ ହୋଇଛି।