ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ସ୍ଥିତିକୁ ଲକ୍ଷ କରି କେନ୍ଦ୍ର ସରକାର ପୁଣି ଲକଡାଉନ ଅବଧିକୁ ମେ’ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ ଲକଡାଉନ-୪.୦ ଗତକାଲି ଠାରୁ ଦେଶ ତଥା ରାଜ୍ୟମାନଙ୍କରେ ଲାଗୁ ହେବ। ଏ ନେଇ ଆଜି ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି।
ସମସ୍ତ ଆର୍ନ୍ତଜାତୀୟ ଯାତାୟାତ ଉପରେ କଟକଣା ରହିବା ସହିତ, ଜରୁରୀ ସେବାକୁ ଅନୁମତି ମିଳିଛି। ସେହିପରି ଆଗାମୀ ଗାଇଡ ଲାଇନ ଜାରୀ ହେବା ପର୍ଯ୍ୟନ୍ତ ସମସ୍ତ ମେଟ୍ରୋ, ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ହୋଟେଲ, ରେଷ୍ଟୁରାଣ୍ଟ ଗୁଡ଼ିକ କେବଳ ହୋମ ଡେଲିଭରି କରି ପାରିବେ।
ବନ୍ଦ ରହିବ ସମସ୍ତ ସିନେମା ହଲ, ସପିଂ ମଲ, ଜିମ୍, ସୁଇମିଂ ପୁଲ, ପାର୍କ, ବାର୍, ସଚିବାଳୟ, ସ୍ପୋର୍ଟ୍ସ କମ୍ପଲେକ୍ସ। ସେହିପରି ଧାର୍ମିକ ସ୍ଥଳୀ ଗୁଡ଼ିକରେ କେବଳ ସେବାୟତମାନେ ରହି ପୂଜାର୍ଚ୍ଚନା କରିବା ପାଇଁ ଅନୁମତି ମିଳିଥିବା ବେଳେ ଭକ୍ତଙ୍କୁ ଯିବାକୁ ଅନୁମତି ନାହିଁ।
ସେହିପରି ଆନ୍ତରାଜ୍ୟ ବସ୍ ଚଳାଚଳ ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିବେ। ରାଜ୍ୟ ଓ କେନ୍ଦ୍ର ଶସିତ ଅଞ୍ଚଳମାନଙ୍କରେ କେଉଁଠି ଗୀନ ଜୋନ୍, ଅରେଞ୍ଜ ଜୋନ ଓ ରେଡ ଜୋନ ରହିବ ସେ ନେଇ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଏ ନେଇ ସେମାନେ କେନ୍ଦ୍ର ସରକାରଙ୍କୁ ସୂଚିତ କରିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ରେଡ ଜୋନରେ ଚଳାଚଳ ବନ୍ଦ ରହିବ। ଏହି ଜୋନ ମାନଙ୍କରେ ପୂର୍ବପରି ଅତ୍ୟାବଶ୍ୟକ ସାମଗ୍ରୀ ଛଡା ଅନ୍ୟ ସବୁ ବନ୍ଦ ରହିବ।
ଏହି ଲକଡାଉନ-୪.୦ରେ ସମସ୍ତ ରାଜ୍ୟରେ ରାତ୍ର କର୍ଫ୍ୟୁ ଜାରି ରହିବ। ଏଥିରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ରହିବ। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକନ ଯଥା- ମେଡ଼ିକାଲ, ମେଡିସିନ ଷ୍ଟୋର ଖୋଲା ରହିବ।