ଇସ୍ତଫା ଦେବେ ରାଷ୍ଟ୍ରପତି ଇଭୋ ମୋରେଲ୍ସ

ବଲିଭିଆରେ ରାଜନୈତିକ ଅଚଳାବସ୍ଥା:

ଲା ପାଜ, ଏଜେନ୍ସି : ଅକ୍ଟୋବର ନିର୍ବାଚନ ପରଠାରୁ ଦେଶରେ ମୁଣ୍ଡ ଟେକିଥିବା ଗଣଆନ୍ଦୋଳନ କ୍ରମଶଃ ଉଗ୍ର ହେଉଥିବାରୁ ବଲିଭିଆ ରାଷ୍ଟ୍ରପତି ଇଭୋ ମୋରେଲ୍ସ ଇସ୍ତଫା ଦେବାର ସମ୍ଭାବନା ରହିଛି। ଗଣଆନ୍ଦୋଳନରେ ବଳିପଡ଼ିବା ପୂର୍ବରୁ ଇସ୍ତଫା ଦେଇ ଚାଲିଯିବା ଶ୍ରେୟସ୍କର ବୋଲି ରବିବାର ଖୋଦ ରାଷ୍ଟ୍ରପତି ମୋରେଲ୍ସ କହିଛନ୍ତି। ରବିବାର ରାତିରେ ଆନ୍ଦୋଳନକାରୀମାନେ ଲା ପାଜ ରାସ୍ତାରେ ହିଂସାକାଣ୍ଡ ଘଟାଇଥିଲେ। କିଛି କୋଠା ଓ ଦୋକାନ ବଜାରରେ ନିଆଁ ଲଗାଇ ଦେଇଥିଲେ। ବଲିଭିଆ ସେନା ରାଷ୍ଟ୍ରପତି ମୋରେଲ୍ସଙ୍କ ଇସ୍ତଫା ଦାବି କରିବା ପରେ ଆଉ କ୍ଷମତାକୁ ଜାବୁଡ଼ି ଧରିବା ଠିକ୍ ହେବନାହିଁ ବୋଲି ସେ ଅନୁଭବ କରିଛନ୍ତି।

ପ୍ରାୟ ୧୪ ବର୍ଷ ଧରି ମୋରେଲ୍ସ ରାଷ୍ଟ୍ରପତି କ୍ଷମତାରେ ଅଛନ୍ତି। ଦେଶରେ ଅଚଳାବସ୍ଥା ସୃଷ୍ଟି ହେବାରୁ ଅଗତ୍ୟା ସେ ଇସ୍ତଫା ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ରବିବାର ସେ ଟେଲିଭିଜନରେ କହିଥିଲେ, ‘ମୁଁ ଇସ୍ତଫା ଦେଲେ ଯଦି ଦେଶରେ ଶାନ୍ତି ଓ ସହାବସ୍ଥାନ ବଜାୟ ରହିବ, ତେବେ ଇସ୍ତଫା ଦେବାରେ ମୋର ଆପତ୍ତି ନାହିଁ’।

ଖୁବ ଶୀଘ୍ର ସେ ବିଧାନସଭାକୁ ଇସ୍ତଫା ପତ୍ର ପଠାଇବେ ବୋଲି କହିଛନ୍ତି। ଏହି ଅବସରରେ ସେ ଟ୍ୱିଟ୍ କରିଛନ୍ତି ଯେ ପୁଲିସ ବେଆଇନ ଭାବେ ୱାରେଣ୍ଟ ଜାରି କରି ତାଙ୍କୁ ଗିରଫ କରିବାକୁ ବସିଥିଲା। ବଲିଭିଆ ପୁଲିସ କମାଣ୍ଡର ଟେଲିଭିଜନକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ମୋରେଲ୍ସଙ୍କୁ ଗିରଫ କରିବା ପାଇଁ କୌଣସି ୱାରେଣ୍ଟ ଜାରି କରାଯାଇନି। ମେକ୍ସିକୋ ଓ ଆର୍ଜେଣ୍ଟିନାରେ ଅଣବାମପନ୍ଥୀ ସରକାର କ୍ଷମତାସୀନ ହେବାରୁ ବଲିଭିଆ ଉପରେ ତା’ର ପ୍ରଭାବ ପଡ଼ିଛି। ମୋରେଲ୍ସ ବାମପନ୍ଥୀ ନେତା ରୂପେ ଜଣାଶୁଣା ଥିବାରୁ ତାଙ୍କୁ କ୍ଷମତାରୁ ହଟାଇ ଜଣେ ଅଣବାମପନ୍ଥୀ ନେତାଙ୍କୁ କ୍ଷମତାସୀନ କରିବା ପାଇଁ ଗଣଆନ୍ଦୋଳନ ଚାଲିଛି। ଇତିମଧ୍ୟରେ ଉପରାଷ୍ଟ୍ରପତି ଆଲଭାରୋ ଗର୍ସିଆ ଲିନେରା ଇସ୍ତଫା ଦେଇସାରିଛନ୍ତି। ମୋରେଲ୍ସ ଚାହିଁଲେ ମେକ୍ସିକୋ ତାଙ୍କୁ ରାଜନୈତିକ ଆଶ୍ରୟ ଦେବାକୁ ପ୍ରସ୍ତୁତ ଅଛି ବୋଲି ମେକ୍ସିକୋ ବିଦେଶ ମନ୍ତ୍ରୀ ମାର୍ସେଲୋ ଇବ୍ରାର୍ଡ କହିଛନ୍ତି। ମୋରେଲ୍ସଙ୍କ ଅମଳରେ ବଲିଭିଆର ଆର୍ଥିକ ଅଭିବୃଦ୍ଧି ମଜଭୁତ ହୋଇଛି। ଦେଶରେ ଗରିବୀ ହାରରେ ପ୍ରାୟ ୫୦% ହ୍ରାସ ପାଇଛି। ଅକ୍ଟୋବର ନିର୍ବାଚନରେ ମୋରେଲ୍ସଙ୍କୁ ବିଜୟୀ ଘୋଷଣା କରାଯିବା ପରଠାରୁ ଗଣଆନ୍ଦୋଳନ ଆରମ୍ଭ ହୋଇଯାଇଛି ବୋଲି ବଲିଭିଆ ସେନାଧ୍ୟକ୍ଷ ଜେନେରାଲ୍ ୱିଲିୟମ କାଲିମ୍ୟାନଙ୍କ ସୂତ୍ରରୁ ପ୍ରକାଶ। ଆଇନଶୃଙ୍ଖଳା ହାତକୁ ନନେବା ପାଇଁ ସେନାଧ୍ୟକ୍ଷ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ବଲିଭିଆ ନିର୍ବାଚନରେ ବଡ଼ଧରଣର ଅନିୟମିତତା ହୋଇଥିବା ସମ୍ପର୍କରେ ଲାଟିନ ଆମେରିକା ରାଜ୍ୟସମୂହ ମହାସଂଗଠନ ତରଫରୁ ଅଡିଟ୍ ରିପୋର୍ଟ ପ୍ରକାଶ ପାଇବା ପରେ ରାଷ୍ଟ୍ରପତି ମୋରେଲ୍ସ ସାନି ନିର୍ବାଚନ ପାଇଁ ରାଜି ହୋଇଥିଲେ। ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇ ମୋରେଲ୍ସ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କାର୍ଲୋସ ମେସାଙ୍କଠାରୁ ମାତ୍ର ୧୦ ପଏଣ୍ଟରେ ଜିତାପଟ ହାସଲ କରିଥିଲେ ଯାହାକୁ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।