- ବାରିପଦା: ପ୍ରଥମେ ଦଳରୁ ଇସ୍ତଫା ଏବଂ ୪୮ ଘଣ୍ଟା ନପୂରୁଣୁ ପୁଣିଥରେ ପ୍ରତ୍ୟାବର୍ତ୍ତନ। ପଞ୍ଚାୟତ ନିର୍ବାଚନ ଘୋଷଣା ହୋଇନି। ଅଥଚ ଦଳ ବଦଳକୁ ନେଇ ସରଗରମ ହୋଇଛିି ମୟୂରଭଞ୍ଜ ରାଜନୀତି। ଗତ ଶୁକ୍ରବାର ବିଜେପିରୁ ନିର୍ବାଚିତ ୧୫ ଜଣ ଜିଲ୍ଲାପରିଷଦ ସଭ୍ୟ ସଭ୍ୟା ବିଭିନ୍ନ ଅଭିଯୋଗ କରି ଦଳରୁ ଇସ୍ତଫା ଦେଇଥିଲେ, ଯାହାକି ରାଜ୍ୟସ୍ତରରେ ଦଳକୁ ଏକ ଅଡ଼ୁଆ ପରିସ୍ଥିତିରେ ପକାଇଥିଲା। ମାତ୍ର ଏହା ପରେ ଟ୍ରାକକୁ ଫେରିଥିଲା ଦଳ। ଗୋଲକ ମହାପାତ୍ରଙ୍କୁ ମୟୂରଭଞ୍ଜ ପଠାଯାଇଥିଲା। ପ୍ରଥମେ ଜିଲ୍ଲା ବିଜେପିର କୋର ଟିମ୍ ସହିତ ବୈଠକ ପରେ ଶ୍ରୀ ମହାପାତ୍ର ଏବଂ ଦଳର ନିର୍ବାଚିତ ବିଧାୟକ ଏବଂ ବରିଷ୍ଠ ନେତୃମଣ୍ଡଳୀ ନିଆରା ଢଙ୍ଗରେ ଇସ୍ତଫା ଦେଇଥିବା ଜିଲ୍ଲା ପରିଷଦ ସଭ୍ୟସଭ୍ୟାଙ୍କ ଘରେ ପହଞ୍ଚିଥିଲେ। ଦଳର ଚାରି ଚାରି ବିଧାୟକ, ଏକାଧିକ ବରିଷ୍ଠ ନେତା ଏବଂ ଶତାଧିକ ସମର୍ଥକଙ୍କ ସହିତ ଇସ୍ତଫା ଦେଇଥିବା ସଭ୍ୟଙ୍କ ଘରେ ପହଞ୍ଚି ଦଳ ଛାଡ଼ିବାର କାରଣ ସମ୍ପର୍କରେ ପଚାରି ବୁଝିଥିଲେ।
ତେବେ ବିଜେପିର ଏହି କୌଶଳ କିଛି ମାତ୍ରାରେ ଫଳପ୍ରଦ ମଧ୍ୟ ହୋଇଛି। ଇସ୍ତଫା ଦେବାର ୪୮ ଘଣ୍ଟା ନପୂରୁଣୁ ପୁଣିଥରେ ବିଜେପିକୁ ଫେରିଛନ୍ତି ୫ ଜିଲ୍ଲା ପରିଷଦ ସଭ୍ୟସଭ୍ୟା। ବରିଷ୍ଠ ଦଳୀୟ ନେତୃବୃନ୍ଦଙ୍କ ସହିତ ବ୍ୟାପକ ଆଲୋଚନା ପରେ ୩୩ ନମ୍ବର ଜୋନର ନାନିକା ନାଏକ, ୪୨ ନମ୍ବର ଜୋନର ଗାନ୍ଧାରୀ ନାଏକ, ୨୪ ନମ୍ବର ମଧୁସ୍ମିତା ପରିଡ଼ା, ୨୨ ନମ୍ବର ଜୋନର ଅସିନ୍ତମଣୀ ସିଂ ଏବଂ ୪୪ ନମ୍ବର ଜୋନର ପରମେଶ୍ୱର ନାଏକ ପ୍ରମୁଖ ପୁନର୍ବାର ଦଳକୁ ଫେରିଥିବା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଛନ୍ତି।