ରାସ୍ତାରୁ ଉଦ୍ଧାର ହୋଇଥିବା ହେଟାବାଘର ମୃତ୍ୟୁ

ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର କାଲିମେଳା ସହରଠାରୁ ମାତ୍ର ୩ ଶହ ମିଟର ଦୂରରେ ମୂଖ୍ୟ ରାସ୍ତାକଡ଼ରେ ଗୁରୁବାର ଏକ ହେଟା ବାଘ ଆହତ ହୋଇ ପଡ଼ିରହିଥିବା ଦେଖିବାକୁ ମିଳିଥିଲା। ଏହି ହେଟା ବାଘର ମୁଣ୍ଡ, ଅଣ୍ଟା ଓ ଗୋଡ଼ରେ କ୍ଷତ ହୋଇ ହୋଇଥିଲା। ଯାହା ଫଳରେ ହେଟା ବାଘଟି ଚାଲିପାରୁନଥିଲା।

ଲୋକେ ଏହାକୁ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀ ଘଟଣାସ୍ଥଳକୁ ଯାଇ ଉଦ୍ଧାର କରିଥିଲେ। ପରେ କାଲିମେଳା ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ସେଠାରେ ଚିକିତ୍ସା ବେଳେ ହେଟା ବାଘର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ପରେ ବନ ବିଭାଗ କର୍ମଚାରୀମାନେ ତାକୁ ନିକଟସ୍ଥ ଜଙ୍ଗଲରେ ନେଇ ପୋତି ଦେଇଥିବା ଜଣାପଡ଼ିଛି। ହେଟା ବାଘଟି ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ସହକାରୀ ବନ ସଂରକ୍ଷକ ଶ୍ରୀକାନ୍ତ ନାୟକ ପ୍ରକାଶ କରିଛନ୍ତି।