ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାସ୍ତାରେ ଗୋଟିଏ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଆଜି ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ଝାରସୁଗୁଡ଼ା ମଙ୍ଗଲବଜାରର ବ୍ରିଜ ବିହାରୀ ସିଂଙ୍କ ପୁଅ ଅତୁଲ ସିଂ(୨୨) ବୋଲି ତାଲପଟିଆ ଫାଣ୍ଡି ପୁଲିସ ସୂଚନା ଦେଇଛି। ମିଳିଥିବା ରିପୋର୍ଟ ମୁତାବିକ, ଆଜି ଭୋର ୩ଟାରୁ ଅତୁଲ ଘରୁ କୁଆଡ଼େ ପଲାଇଥିଲେ। ପରିବାର ଲୋକେ ଏହା ଜାଣି ପାରି ସାହି ପଡ଼ିଶାଙ୍କ ସହ ଖୋଜାଖୋଜି କରି ବିଫଳ ହୋଇଥିଲେ। ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାସ୍ତାରେ ଜଣେ ଅଜଣା ବ୍ୟକ୍ତିର ମୃତଦେହ ଗୋଟିଏ ଗଛରେ ଝୁଲୁଥିବାର ଦେଖି ଲୋକେ ତାଲପଟିଆ ଫାଣ୍ଡି ପୁଲିସକୁ ସୂଚନା ଦେଇଥିଲେ। ପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଚିହ୍ନଟ କରିବା ସହ ଅତୁଲଙ୍କ ପରିବାରବର୍ଗକୁ ଘଟଣା ବିଷୟରେ ଖବର ଦେଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।