ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିସହ ସେ ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଥିଲେ।

 

ଏହି ଅବସରରେ ସେ କହିଛନ୍ତି କି, ମହାମନିଷୀ ଓ ସ୍ୱାଧୀନତା ସଂଗ୍ରାମୀମାନେ ସେମାନଙ୍କର ପ୍ରାଣବଳୀ ଦେଇ ଦେଶକୁ ସ୍ୱାଧୀନତା ଆଣିଦେଇଥିଲେ। କିନ୍ତୁ ସେମାନେ ଦେଖିଥିବା ସ୍ୱପ୍ନ ଆଜି ସମ୍ପୂର୍ଣ୍ଣ ଭାବେ ସାକାର ହୋଇପାରି ନାହିଁ। ଯେଉଁ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଉଦ୍ୟମ କରାଯାଇଥିଲା ଆଜି ସେହି ଗଣତନ୍ତ୍ରର କଣ୍ଠରୋଧ କରାଯାଉଛି। ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ଶ୍ରୀ ପଟ୍ଟନାୟକ। ଏହି କାର୍ଯ୍ୟକ୍ରମକୁ ସେବାଦଳ ପକ୍ଷରୁ ଜ୍ୟୋତିଷ୍କ ସାହୁ ଓ ଏମଡ଼ି ଶାହାଦୁଲ୍ଲା ପରିଚାଳନା କରିଥିଲେ।

ଏଥିସହିତ ରାଜ୍ୟ ପୁଲିସ ବିଭାଗରେ ନିଷ୍ଠାର ସହ କାର୍ଯ୍ୟକରି ରାଜ୍ୟପାଳ ପଦକ ପାଇଥିବା ୨୦ ଜଣ ପୁଲିସ ଅଧିକାରୀଙ୍କୁ ମଧ୍ୟ ଶ୍ରୀ ପଟ୍ଟନାୟକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ସର୍ବଶ୍ରୀ ଜୟଦେବ ଜେନା, ରାମଚନ୍ଦ୍ର ଖୁଣ୍ଟିଆ, ଅନନ୍ତ ପ୍ରସାଦ ସେଠୀ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ବିପିନ୍ ଦାସ, କିଶୋର ଜେନା, ଅମିୟ ପଟ୍ଟନାୟକ, ମନୋରଞ୍ଜନ ଦାସ ପ୍ରମୁଖ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।