ଗୁଜରାଟରେ ବିଶ୍ୱର ‘ବୃହତ୍ତମ ଚିଡ଼ିଆଖାନା’ ନିର୍ମାଣ କରିବ ରିଲାଏନ୍‌ସ୍‌

ଅହମ୍ମଦାବାଦ,ଏଜେନ୍ସି: ଗୁଜରାଟର ଜାମନଗରରେ ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ବିଶ୍ୱର ବୃହତ୍ତମ ଚିଡ଼ିଆଖାନା ନିର୍ମାଣ କରିବ ବୋଲି ଶନିବାର ଦିନ କମ୍ପାନୀର ଜଣେ ଶୀର୍ଷସ୍ତରୀୟ ଅଧିକାରୀ ସୁନିଶ୍ଚିତ କରି କହିଛନ୍ତି। ଏହି ଚିଡ଼ିଆଖାନାରେ ଭାରତ ଏବଂ ବିଶ୍ୱର ବିବିଧ ପ୍ରଜାତିର ପ୍ରାୟ ୧୦୦ ସଂଖ୍ୟକ ପଶୁ, ପକ୍ଷୀ ଓ ସରୀସୃପଙ୍କୁ ରଖାଯିବ।

ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରକଳ୍ପିତ ଏହି ଚିଡ଼ିଆଖାନା ୨୮୦ ଏକର ପରିମିତ ଜମିରେ ନିର୍ମାଣ କରାଯିବ। ଏହି ଜମି ଜାମନଗର ନିକଟ ମୋତି ଖାଓ୍ଵଡ଼ିରେ ଥିବା କମ୍ପାନି ତଥା ବିଶ୍ୱର ବୃହତମ ତୈଳ ଶୋଧନ ପରିସର ନିକଟରେ ଅବସ୍ଥିତ।

କୋଭିଡ୍‌-୧୯ ଯୋଗୁଁ ସ୍ଥଗିତ ରହିଥିବା ଏହି ପ୍ରକଳ୍ପ ଆସନ୍ତା ଦୁଇ ବର୍ଷ ମଧ୍ୟରେ ସର୍ବସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ ହୋଇପାରିବ ବୋଲି କମ୍ପାନୀର ଅଧିକାରୀ ଜଣକ କହିଛନ୍ତି। ଏହି ଚିଡ଼ିଆଖାନାର ନାଁ ଦିଆଯିବ ‘ଗ୍ରିନ୍‌ସ୍‌ ଜୁଲୋଜିକାଲ୍‌, ରେସ୍କ୍ୟୁ ଆଣ୍ଡ୍‌ ରିହାବିଲିଟେସନ୍‌ କିଙ୍ଗଡମ୍‌’। ଚିଡ଼ିଆଖାନା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଆବଶ୍ୟକ ଅନୁମୋଦନ ମିଳିସାରିଛି ବୋଲି ରିଲାଏନ୍‌ସ‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ କର୍ପୋରେଟ୍‌ ବ୍ୟାପାରର ନିର୍ଦ୍ଦେଶକ ପରିମଳ ନାଥଓ୍ଵାନି କହିଛନ୍ତି।

ଏହି ଚିଡ଼ିଆଖାନାରେ ‘ଫରେଷ୍ଟ୍‍ ଇଣ୍ଡିଆ’, ‘ଫ୍ରଗ୍‌ ହାଉସ୍‌’, ‘ଇନ‌ସେକ୍ଟ୍‌ ଲାଇଫ୍‌’, ‘ଡ୍ରାଗନସ୍‌ ଲ୍ୟାଣ୍ଡ୍‌’ ‘ଏକ୍ସୋଟିକ୍‌ ଆଇଲାଣ୍ଡ୍‌’, ‘ଓ୍ଵାଇଲଡ୍‌ ଟ୍ରେଲ୍‌ ଅଫ୍‌ ଗୁଜରାଟ’ ଏବଂ ‘ଆକ୍ୱାଟିକ୍‌ କିଙ୍ଗଡମ୍‌’ ଭଳି ବିଭାଗ ସହ ଅନ୍ୟାନ୍ୟ ବିଭାଗ ରହିବ।