‘ଚୋକଡ’ର ଟ୍ରେଲର ରିଲିଜ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଅନୁରାଗ କଶ୍ୟପଙ୍କ ନେଟଫ୍ଲିକ୍ସ ଅରିଜିନାଲ ଫିଲ୍ମ ‘ଚୋକ୍ଡ’ର ଟ୍ରେଲର ରିଲିଜ ହୋଇଛି। ସୋସିଆଲ ମିଡିଆରେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି ସିନେପ୍ରେମୀ। ଜଣେ ହାଉସୱାଇଫ ଏ ଫିଲ୍ମର କେନ୍ଦ୍ରୀୟ ଚରିତ୍ର। ଏହା ସହିତ ୨୦୧୬ରେ ଆମ ଦେଶର ଐତିହାସିକ ଘଟଣା ନୋଟବନ୍ଦୀ (ଡିମନିଟାଇଜେସନ)କୁ ମଧ୍ୟ ଫିଲ୍ମରେ ଖୁବ ସୁନ୍ଦର ଭାବରେ ଦର୍ଶାଯାଇଛି। ନୋଟବନ୍ଦୀ ଘଟଣା ଏ ଫିଲ୍ମର କାହାଣୀରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆଣୁଛି। ଏ ଫିଲ୍ମର ଟ୍ରେଲରକୁ ଇତିମଧ୍ୟରେ ୩୮ ହଜାରରୁ ଅଧିକ ଥର ଦେଖିସାରିଲେଣି ଦର୍ଶକ। ‘ଚୋକଡ’ରେ ମୁଖ୍ୟ ଚରିତ୍ର ନିର୍ବାହ କରିଛନ୍ତି ସଂଯମୀ ଖେର। ସଂଯମୀ ଏଥିରେ ବ୍ୟାଙ୍କରେ ଚାକିରି କରୁଥିବା ଜଣେ ଗୃହିଣୀ ଚରିତ୍ରରେ ଅଭିନୟ କରିଛନ୍ତି। ଦିନେ ସକାଳୁ ଉଠି ସଂଯମୀ ଜାଣିବାକୁ ପାଆନ୍ତି, ତାଙ୍କ ଘର ସାମ୍ନା ନାଳଟି ଜାମ୍ ହୋଇଯାଇଛି। ନାଳ ଚେକ କରିବାକୁ ଯାଇ ସେ ଦେଖନ୍ତି, ସେଥିରେ ବିଡ଼ା ବିଡ଼ା ନୋଟ ଲାଖି ରହିଛି। ଏହା ପରେ କାହାଣୀ ଭିନ୍ନ ମୋଡ଼ ନେଉଛି ଓ ଏହାକୁ ବେଶ ପସନ୍ଦ କରୁଛନ୍ତି ଚଳଚ୍ଚିତ୍ରପ୍ରେମୀ।