ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ କକା ଥାନାରେ ଅଟକ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ଜାମଦା ଥାନା ଅଞ୍ଚଳର ଜନୈକ ନାବାଳିକାକୁ ସମ୍ପର୍କୀୟ କାକା ଦୁଷ୍କର୍ମ କରିଥିବା ନେଇ ପୀଡିତାଙ୍କ ପିତା ପକ୍ଷରୁ ଜାମଡା ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୀଡିତାଙ୍କ ପିତାଙ୍କ ଅଭିଯୋଗ ଅନୁସାରେ ଖାଇରିପାଳ ଗ୍ରାମର ଅର୍ଜୁନ କଳା(୪୮) ନିଜର ସମ୍ପର୍କୀୟ ଝିଆରି(୧୫) ବର୍ଷୀୟା ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ସହ ମାନସିକ ନିର୍ଯାତନା ଦେଇ ଆସୁଥିଲା।

ଏଥିସହିତ ଘଟଣା ପ୍ରଘଟ କଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା। ସମ୍ପର୍କୀୟ କକାଙ୍କ ଶାରୀରିକ ଓ ମାନସିକ ନିର୍ଯାତନା ସହି ନପାରି ନାବାଳିକା ଜଣଙ୍କ ଘରେ ସମସ୍ତ ଘଟଣା ଜଣାଇଥିଲେ। ପରେ ନାବାଳିକାର ପିତା ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ କେସ୍ ନଂ-୪୭/୨୦ରେ ମାମଲା ରୁଜୁ କରି ଅଭିଯୁକ୍ତ ଅର୍ଜୁନକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି।