ଆଞ୍ଚଳିକ ନିରାପତ୍ତା ପ୍ରସଙ୍ଗ: ଇରାନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ରାଜନାଥ

ନୂଆଦିଲ୍ଲୀ, ଏଜେନ୍ସି : ଆଫଗାନିସ୍ତାନ ସମେତ ଅନ୍ୟ ଦେଶଗୁଡ଼ିକର ନିରାପତ୍ତା ପ୍ରସଙ୍ଗ ଉପରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ ବ୍ରିଗେଡିୟର୍ ଜେନେରାଲ ଅମୀର ହାତାମୀ ଓ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ମଧ୍ୟରେ ଆଲୋଚନା ହୋଇଯାଇଛି। ଦୁଇ ପ୍ରତିରକ୍ଷା ମନ୍ତ୍ରୀ ପ୍ରାୟ ଘଣ୍ଟାଏ ୨୦ ମିନିଟ କାଳ କଥାବାର୍ତ୍ତା ହୋଇଥିଲେ। ଆଲୋଚନା ବେଶ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା ବୋଲି ଭାରତର ପ୍ରତିରକ୍ଷା ବିଭାଗ ସୂତ୍ରରୁ ପ୍ରକାଶ। ଭାରତ-ଇରାନର ପ୍ରାଚୀନ ସଭ୍ୟତା ଏକପ୍ରକାର ସମସାମୟିକ ଥିଲା। ଉଭୟ ରାଷ୍ଟ୍ରର ଭାଷା ଓ ସଂସ୍କୃତି ମଧ୍ୟରେ ବହୁ ସାମଞ୍ଜସ୍ୟ ଥିବାର ବଳିଷ୍ଠ ପ୍ରମାଣମାନ ମିଳିଛି। ଭାରତ-ଇରାନ ଦ୍ୱିପାକ୍ଷିକ ସମ୍ପର୍କକୁ ବଳିଷ୍ଠ କରିବା ପାଇଁ ବହୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ, ଇରାନ ପ୍ରତିରକ୍ଷା ମନ୍ତ୍ରୀ ହାତାମୀଙ୍କ ଅନୁରୋଧ ରକ୍ଷା କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ମସ୍କୋରୁ ନୂଆଦିଲ୍ଲୀ ଫେରିବା ବାଟରେ ତେହେରାନରେ କିଛି ସମୟ ବିତାଇଥିଲେ। ସୂଚନାଯୋଗ୍ୟ, ମସ୍କୋରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ଅବସରରେ ରାଜନାଥ ଓ ଚୀନ ପ୍ରତିରକ୍ଷା ମନ୍ତ୍ରୀ ଫେଙ୍ଘେଙ୍କ ମଧ୍ୟରେ ଏଲଏସି ପ୍ରସଙ୍ଗ ଆଲୋଚନା ହୋଇଥିଲା। ସାଂଘାଇ ସହଯୋଗ ସଂଗଠନରେ ୮ଟି ରାଷ୍ଟ୍ର ସଭ୍ୟ ଥିଲାବେଳେ ଇରାନ ଅତିଥି ରାଷ୍ଟ୍ର ଭାବେ ଯୋଗ ଦେଇଥିଲା। ଇରାନର ଚାବାହର ପ୍ରକଳ୍ପ ପ୍ରତି ଭାରତ ଆଗ୍ରହ ପ୍ରକାଶ କରିଛି। ଏହି ପ୍ରକଳ୍ପ କେନ୍ଦ୍ର ଏସିଆ ଦେଶଗୁଡ଼ିକ ମଧ୍ୟରେ ସମ୍ପର୍କର ସେତୁ ଭଳି କାମ କରିବ ବୋଲି ରାଜନାଥ କହିଛନ୍ତି। ସୂଚନାଯୋଗ୍ୟ, ଆମେରିକା-ଇରାନ ବିବାଦୀୟ ସମ୍ପର୍କ କ୍ରମେ ଖରାପ ଆଡ଼କୁ ଗତି କରୁଥିଲା ବେଳେ ପ୍ରଥମ ଥର ପାଇଁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଇରାନ ଗସ୍ତ କରିଥିଲେ।