ୱେଲମାର୍କଡରେ ପରିଣତ ଲଘୁଚାପ : ୯ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲମାର୍କଡରେ ପରିଣତ ହୋଇଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ବିଶେଷ କରି ଉତ୍ତର ଉପକୂଳ ଓ ଏହାର ସଂଲଗ୍ନ ଜିଲ୍ଲାଗୁଡ଼କରେ ସୋମବାର ରାତିରୁ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ମଙ୍ଗଳବାର ଦିନ ତମାମ ଏଠାରେ ପ୍ରବଳ ବର୍ଷା ହୋଇଛି। ମଙ୍ଗଳବାର ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଚାନ୍ଦବାଲିରେ ରାଜ୍ୟର ସର୍ବାଧିକ ୧୦୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ପାରାଦୀପରେ ୧୦୦ ମିମି, ବୌଦ୍ଧରେ ୮୮ ମିମି, ପୁରୀରେ ୩୭ ମିମି, ଭୁବନେଶ୍ୱରରେ ୩୦ ମିମି, ବାଲେଶ୍ୱରରେ ୨୭.୫ ମିମି ଓ କେନ୍ଦୁଝରରେ ୨୩ ମିମି ବର୍ଷା ହୋଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ୱେଲମାର୍କଡ ଲଘୁଚାପଟି ଧୀରେଧୀରେ ଘନିଭୂତ ହେଉଥିବାରୁ ବୁଧବାର ରାଜ୍ୟରେ ଅନେକ ସ୍ଥାନରେ ଭାରି ବର୍ଷା ହେବ। ବିଶେଷ କରି ପଶ୍ଚିମ ଓଡ଼ିଶା ସମେତ ଆଭନ୍ତରୀଣ ଜିଲ୍ଲା ଯଥା ସମ୍ବଲପୁର, ସୋନପୁର, ବରଗଡ଼, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଫଳରେ ଏହି ୯ଟି ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ରପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି। ସେହିପରି ନବରଙ୍ଗପୁର, ଅନୁଗୁଳ, ନୂଆପଡ଼ା, ଢେଙ୍କାନାଳ, ମୟୂରଭଞ୍ଜ, କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। ଏହି ୭ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଏହା ବ୍ୟତୀତ ବାଲେଶ୍ୱର, ମାଲକାନଗିରି, କୋରାପୁଟ, କଟକ ଓ ଯାଜପୁର ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ତେବେ କଟକ ଓ ଭୁବନେଶ୍ୱରରେ ବୁଧବାର ତୁହାକୁ ତୁହା ବର୍ଷା ଜାରି ରହିବା ସହିତ ସମୟ ସମୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚଆର ବିଶ୍ୱାସ କହିଛନ୍ତି। ଗୁରୁବାରଠାରୁ ବର୍ଷାର ପରିମାଣ ହ୍ରାସ ପାଇବ। ସେହିପରି ଲଘୁଚାପ ପ୍ରଭାବରେ ଉତ୍ତର ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବା ସହିତ ୪୫ରୁ ୫୫ କିମି ପର୍ଯ୍ୟନ୍ତ ପବନ ବୋହିବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।