ଭୁବନେଶ୍ୱର,ଏନ୍ଏନ୍ଏସ୍: ସାରା ରାଜ୍ୟରେ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ଲାଗି ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ୧୦ଟି ଜିଲ୍ଲାରେ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ଜତସିଂହପୁର, ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ବୌଦ୍ଧ, କଟକ ଓ ଅନୁଗୁଳ । ଅନ୍ୟପଟେ ୯ଟି ଜିଲ୍ଲା କେନ୍ଦୁଝର, ଦେବଗଡ଼, ସମ୍ବଲପୁର, କନ୍ଧମାଳ, ପୁରୀ, କଳାହାଣ୍ଡି, ଖୋର୍ଦ୍ଧା, ମାଲକାନଗିରି ଓ କୋରାପୁଟରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣି ଜମିବା, କିଛି ଜାଗାରେ ଆକସ୍ମିକ ବନ୍ୟା ସହ କଚ୍ଚା ଘର ଭାଙ୍ଗିବା ଓ ରାସ୍ତା ନଷ୍ଟ ହେବାକୁ ନେଇ ସତର୍କ ସୂଚନା ଦିଆଯାଇଛି। ଲଘୁଚାପ ପ୍ରଭାବରୁ ଗତକାଲି ରାତିରୁ ହିଁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ସେଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ନଦୀ ବନ୍ଧ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାସହ ଓଡ୍ରାଫ୍ ଓ ଅଗ୍ନିଶମ କର୍ମଚାରୀଙ୍କୁ ସତର୍କ ରଖିବାକୁ ମଧ୍ୟ ଏସଆରସି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।