ବ୍ରହ୍ମପୁର,ଏନ୍ଏନ୍ଏସ୍: କରୋନାର ମୁକାବିଲା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଜିଲ୍ଲାରେ ସଂକ୍ରମଣର ସ୍ଥିତି ଜାଣିବା ପାଇଁ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ଘରକୁ ଯାଇ ପୁଣି ଥରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଏହି ସ୍ୱାସ୍ଥ୍ୟ ଯାଞ୍ଚ ସମୟରେ ଡାକ୍ତାରୀ ଟିମ ସମ୍ପୂର୍ଣ୍ଣ ସୁସ୍ଥଥିବା ବ୍ୟକ୍ତିଙ୍କୁ ପ୍ଲାଜମା ଦାନ ପାଇଁ ଉତ୍ସାହିତ କରୁଛନ୍ତି। ଏହି ଯାଞ୍ଚ ପ୍ରକ୍ରିୟା ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଚାଲିବ।
ଏଥିରେ ଏଏନଏମ, ଆଶା, ଅଙ୍ଗନବାଡ଼ି, ଆୟୁଷ ଡାକ୍ତର ସାମିଲ ହୋଇଛନ୍ତି। ତେବେ ଏହି ଯାଞ୍ଚ ସମୟରେ ଯଦି କୌଣସି ବ୍ୟକ୍ତିର କରୋନା ପଜିଟିଭ ଆସେ ତାକୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି। ଏଥିସହିତ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଯିଏକି ଅନ୍ୟରୋଗରେ ମଧ୍ୟ ପୀଡ଼ିତ ଅଛନ୍ତି ସେମାନଙ୍କୁ ଡାକ୍ତର ଉପଚାର ନିମନ୍ତେ ପରାମର୍ଶ ଦେବେ।