ଏବେବି ଲସ୍କର, ଜୈଶ ଭାରତରେ ସକ୍ରିୟ: ଆମେରିକା

ନୂଆଦିଲ୍ଲୀ: ପାକିସ୍ତାନ ସାଧାରଣ ନିର୍ବାଚନରେ ପାକ୍ ଆତଙ୍କୀ ସଂଗଠନର ଆଗାଧାଡ଼ିର ନେତାମାନଙ୍କୁ ସୁବିଧା ଦିଆଯାଉଥିବା ସମ୍ପର୍କରେ ମଧ୍ୟ ଯୁକ୍ତରାଷ୍ଟ୍ର ଅମେରିକା କହିଛି। ଏହା ସହିତ ଲସ୍କର୍ ଓ ଜୈଶ ଆତଙ୍କୀ ସଂଗଠନ ପୂର୍ବଭଳି ଭାରତରେ ସକ୍ରିୟ ଥିବା ଆମେରିକାଠାରୁ ଶୁଣିବାକୁ ମିଳିଛି। ଗତ ଶୁକ୍ରବାର ଆମେରିକା ସ୍ୱରାଷ୍ଟ୍ର ବିଭାଗ ପ୍ରସ୍ତୁତ ‘କଣ୍ଟ୍ରି ରିପୋର୍ଟସ ଅନ୍ ଟେରରିଜିମ ୨୦୧୮’ ପ୍ରକାଶିତ ହୋଇଛି।

ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ପାକିସ୍ତାନ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କଫୋର୍ସ (ଏଫଏଟିଏଫ୍) ନିର୍ଦ୍ଦେଶ ପାଳନ କରିବାକୁ ସମ୍ପୂର୍ଣ୍ଣ ଅକ୍ଷମ ହୋଇଛି। ମିଳିତ ଜାତିସଂଘ ଘୋଷିତ କୁଖ୍ୟାତ ଆତଙ୍କୀ ସଂଗଠନକୁ ପୂର୍ବଭଳି ପାଣ୍ଠି ଯୋଗାଉଛି। ଆତଙ୍କୀ ସଂଗଠନ ପାଇଁ ପାଣ୍ଠି ଯୋଗାଡ଼ଠାରୁ ଆରମ୍ଭ କରି ତାଲିମ ଶିବିର ଖୋଲିବାକୁ ଯାବତୀୟ ଭିତ୍ତିଭୂମି ଯୋଗାଇ ଦେଉଛି। ୨୦୧୮ରେ ପାକ୍ ଆତଙ୍କବାଦୀ ସଂଗଠନ ଲସ୍କର୍-ଇ-ତୋଏବା ଓ ଜୈଶ-ଇ-ମହମ୍ମଦର ଆତଙ୍କୀ କାର୍ଯ୍ୟକଳାପ ଚର୍ଚ୍ଚାରେ ଅଛି। ଲସ୍କର-ଇ-ତୋଏବା ସଂଗଠନ ୨୦୦୮ ମୁମ୍ବାଇ ଆକ୍ରମଣ ପାଇଁ ଦାୟୀ ଥିବାବେଳେ ଜୈଶ-ଇ-ମହମ୍ମଦ ଭାରତ ଓ ଆଫଗାନିସ୍ତାନରେ ଆତଙ୍କୀ ଆକ୍ରମଣ ଜାରି ରଖିଛି।

ଗତ ଜୁନରେ ଏଫଏଟିଏଫ୍ ପାକିସ୍ତାନକୁ ଗ୍ରେ’ ତାଲିକାଭୁକ୍ତ କରି ମିଳିତ ଜାତିସଂଘ ଘୋଷିତ ଆତଙ୍କୀ ସଂଗଠନ ପ୍ରତି କଠୋର ପଦକ୍ଷେପ ଗ୍ରହଣ କରିବାକୁ ତାଗିଦ କରିଥିଲା। କିନ୍ତୁ ଏଫ୍ଏଟିଏଫ୍ ତାଗିଦକୁ ପାକିସ୍ତାନ ଭ୍ରୁକ୍ଷେପ କଲାନି। ପାକିସ୍ତାନ ଆତଙ୍କୀ ବିରୋଧୀ ଆଇନ ଜରିଆରେ ଆତଙ୍କୀ ପାଣ୍ଠିର ଅପରାଧୀକରଣ କରୁଛି।

ପାକିସ୍ତାନ ପୂର୍ବଭଳି ଲସ୍କର ଓ ଜୈଶ ସଂଗଠନକୁ ଆତଙ୍କୀ ପାଣ୍ଠି ଯୋଗାଣ ଅବ୍ୟାହତ ରଖିଛି। ପାକିସ୍ତାନରେ ଏବେମଧ୍ୟ ବେଆଇନ୍ ହୁଣ୍ଡି ଓ ହାୱାଲା ସିଷ୍ଟମ ଜାରି ରହିଛି। ଏହି ଦୁଇଟି ବାଟରେ ଆତଙ୍କୀ ପାଣ୍ଠି ବୃଦ୍ଧି କରାଯାଉଛି। ପାକ୍ ସରକାରଙ୍କ ଜାଣତରେ ସବୁକିଛି ଚାଲିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।