ସାଧାରଣତନ୍ତ୍ର ଦିବସ: ଜାଣନ୍ତୁ କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଆସନ୍ତା ୨୬ତାରିଖରେ ସାରା ଦେଶ ପାଳିବ ୭୨ତମ ସାଧାରଣତନ୍ତ୍ର ଦିବସ। ଏହି ଉପଲକ୍ଷେ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପରେଡରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ତେବେ ରାଜ୍ୟର ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ଅନ୍ୟ କେଉଁମାନେ ମୁଖ୍ୟ ଅତିଥି ସାଜି ଜାତୀୟ ପତାକା ଉତ୍ତୋଳନ କରିବେ ଆଜି ତାର ତାଲିକା ପ୍ରକାଶ କରିଛି ରାଜ୍ୟ ଗୃହ ବିଭାଗ।

ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ନୂଆପଡ଼ା, ସୋନପୁର ଏବଂ ଜଗତସିଂହପୁର ଏହି ୯ଜିଲ୍ଲାରେ ସ୍ଥାନୀୟ ଜିଲ୍ଲାପାଳ ମାନେ ସାଧାରଣତନ୍ତ୍ର ଦିବସ କାର୍ଯକ୍ରମରେ ମୁଖ୍ୟ ଅତିଥି ସାଜିବେ। ସେହିଭଳି ବ୍ରହ୍ମପୁର, ଖୋର୍ଦ୍ଧା ଏବଂ ରାଉରକେଲା ଠାରେ ଯଥାକ୍ରମେ ଦକ୍ଷିଣାଞ୍ଚଳ, ଉତ୍ତରାଞ୍ଚଳ ଏବଂ କେନ୍ଦ୍ରାଞ୍ଚଳ ଆରଡିସିମାନେ ଯୋଗଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବା ନେଇ ସ୍ଥିର ହୋଇଛି।

ବାକି ରାଜ୍ୟର ବଳକା ୨୦ଟି ଜିଲ୍ଲା ମୁଖ୍ୟାଳୟରେ ରାଜ୍ୟ ସରକାରର ୨୦ଜଣ ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କଟକରେ ମନ୍ତ୍ରୀ ନିରଞ୍ଜନ ପୁଜାରୀ, ପୁରୀରେ ବିକ୍ରମ କେଶରୀ ଆରୁଖ, ଅନୁଗୋଳରେ ପ୍ରଫୁଲ୍ଳ ମଲ୍ଲିକ, କଳାହାଣ୍ଡିରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଞ୍ଜାମରେ ପଦ୍ମନାଭ ବେହେରା, ବାଲେଶ୍ୱରରେ ପ୍ରତାପ ଜେନା, ରାୟଗଡ଼ାରେ ଅରୁଣ କୁମାର ସାହୁ, କନ୍ଧମ।।ଳରେ ସୁଦାମ ମାରାଣ୍ଡି, ମୟୁରଭଞ୍ଜରେ ସୁଶାନ୍ତ ସିଂ, ବରଗଡ଼ରେ ନବକିଶୋର ଦାସ, ସମ୍ବଲପୁରରେ ଟୁକୁନି ସାହୁ, ନୟାଗଡ଼ରେ ଜଗନ୍ନାଥ ସାରକା, କେନ୍ଦୁଝରରେ ଦିବ୍ୟ ଶଙ୍କର ମିଶ୍ର, ଯାଜପୁରରେ ଅଶୋକ ଚନ୍ଦ୍ର ପଣ୍ଡା, ବଲାଙ୍ଗୀରରେ ସମୀର ରଞ୍ଜନ ଦାଶ, ସୁନ୍ଦରଗଡ଼ରେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କୋରାପୁଟରେ ପ୍ରେମାନନ୍ଦ ନାୟକ, ନବରଙ୍ଗପୁରରେ ରଘୁନନ୍ଦନ ଦାସ, ଗଜପତିରେ ପଦ୍ମିନୀ ଦିଆନ୍ ଏବଂ ମାଲକାନଗିରିରେ ତୁଷାରକାନ୍ତି ବେହେରା ଉପସ୍ଥିତ ରହି ପତାକା ଉତ୍ତୋଳନ କରିବେ।