ବୈଭବ ଗେହଲୋଟ୍ ଆରସିଏ ସଭାପତି ନିର୍ବାଚିତ

ଜୟପୁର,ଏଜେନ୍ସି : ରାଜସ୍ଥାନ କ୍ରିକେଟ୍ ଆସୋସିଏସନ୍ (ଆରସିଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସୁପୁତ୍ର ବୈଭବ ଗେହଲୋଟ୍। ଶୁକ୍ରବାର ଅନୁଷ୍ଠିତ ନିର୍ବାଚନରେ ବୈଭବ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ରାମପ୍ରକାଶ ଚୌଧୁରୀଙ୍କୁ ପରାସ୍ତ କରିଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ରାମେଶ୍ୱର ଦୁଦି ଗ୍ରୁପର ସଦସ୍ୟ ରାମପ୍ରକାଶ ମାତ୍ର ୬ଟି ଭୋଟ୍ ପାଇଥିବା ବେଳେ ବୈଭବ ୨୫ଟି ଭୋଟ୍ ପାଇଥିଲେ। ସଭାପତି ପଦ ସମେତ ଆସୋସିଏସନର ସମସ୍ତ ୬ଟିଯାକ ପଦ ଆରସିଏର ବିଦାୟୀ ସଭାପତି ସିପି ଯୋଶୀଙ୍କ ଗ୍ରୁପ୍ ହାତେଇପାରିଛି। ଉପସଭାପତି ଭାବେ ଆମିନ୍ ପଠାନ୍, ସମ୍ପାଦକ ଭାବେ ମହେନ୍ଦ୍ର ଶର୍ମା, କୋଷାଧ୍ୟକ୍ଷ ଭାବେ କିଶନ୍ ନିମାୱତ୍, ଯୁଗ୍ମ ସମ୍ପାଦକ ଭାବେ ମହେନ୍ଦ୍ର ନାହାର ଓ ସଦସ୍ୟ ଭାବେ ଦେୱାରାମ୍ ଚୌଧୁରୀ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନରେ ବୈଭବ ସଭାପତି ପ୍ରାର୍ଥୀ ହୋଇଥିବା ବେଳେ ପରେ ରାମେଶ୍ୱର ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଫଳରେ ଏହି ନିର୍ବାଚନରେ କଂଗ୍ରେସ ସହ କଂଗ୍ରେସ ସମର୍ଥକଙ୍କର ଲଢ଼େଇ ହେବା ନିଶ୍ଚିତ ହୋଇଥିଲା। କିନ୍ତୁ ବୁଧବାର ରାମେଶ୍ୱରଙ୍କ ପ୍ରାର୍ଥିପତ୍ର ଖାରଜ ହୋଇଯିବା ଫଳରେ ଏହା ତାଙ୍କ ଗୋଷ୍ଠୀ ସଦସ୍ୟମାନଙ୍କୁ ମର୍ମାହତ କରିଥିଲା।

ଏହା ପଛରେ ମୁଖ୍ୟମନ୍ତ୍ରୀଙ୍କ ଷଡ଼ଯନ୍ତ୍ର ରହିଛି ବୋଲି ସେମାନେ ଅଭିଯୋଗ କରି ହଙ୍ଗାମା ସୃଷ୍ଟି କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ପୋଲିସ୍କୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ଏହି କାରଣରୁ ଶୁକ୍ରବାର ଏଠାକାର ସୱାଇ ମାନସିଂହ ଷ୍ଟାଡିୟମ୍ଠାରେ ନିର୍ବାଚନ ବେଳେ ଏହା ପୋଲିସ୍ ଛାଉଣିରେ ପରିଣତ ହୋଇଥିଲା। ବର୍ତ୍ତମାନ ଯୋଶୀଙ୍କ ଗୋଷ୍ଠୀ ଆର୍ସିଏର ସମସ୍ତ ପଦ ହାତେଇବା ପରେ ରାମେଶ୍ୱର ସରକାରୀ କଳର ଅପବ୍ୟବହାର ଅଭିଯୋଗ ଆଣିଛନ୍ତି। ତା’ଛଡ଼ା ନିର୍ବାଚନରେ ତାଙ୍କ ସମର୍ଥକମାନଙ୍କୁ ଯୋଶୀଙ୍କ ସପକ୍ଷରେ ଭୋଟ୍ ଦେବାକୁ ବାଧ୍ୟ କରାଯାଇଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏହି ନିର୍ବାଚନରେ ନାଗୌର୍, ଅଲ୍ୱର୍ ଓ ଶ୍ରୀ ଗଙ୍ଗାନଗର କ୍ରିକେଟ୍ ଆସୋସିଏସନ୍ର ବିବାଦୀୟ କ୍ରିକେଟ୍ ପ୍ରଶାସକ ଲଳିତ ମୋଦିଙ୍କ ସହ ସମ୍ପର୍କ ଥିବାରୁ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।