ରେପୋ ରେଟ ସ୍ଥିର : ଦେଶର ଅର୍ଥ ବ୍ୟବସ୍ଥା ସୁଧୁରୁଛି

ନୂଅ।ଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋ ରେଟରେ କୌଣସି ପରିବର୍ତ୍ତନ ନକରିବାକୁ ପଦକ୍ଷେପ ନେଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱିମାସିକ ମୌଦ୍ରିିକ ନୀତି ସମିତିର ବୈଠକରେ ନୀତିଗତ ଦରକୁ ପରିବର୍ତ୍ତନ ନକରିବାକୁ ନେଇ ଗଭର୍ଣ୍ଣର ଶ୍ରୀଦାସ ଘୋଷଣା କରିଛନ୍ତି। ଫଳରେ ରେପୋ ରେଟ ୪ ପ୍ରତିଶତ ଓ ରିଭର୍ସ ରେପୋ ରେଟ ୩.୩୫ ପ୍ରତିଶତ ରହିଛି। ରେପୋ ରେଟରେ ପରିବର୍ତ୍ତନ ନହେବା ଯୋଗୁ ଇଏମଆଇ କିମ୍ବା ଋଣର ସୁଧହାରରେ କୌଣସି ନୂଆ ଛାଡ଼ ମିଳିବ ନାହିଁ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆହୁରି କହିଛନ୍ତି କି, ବୈଶ୍ୱିକ ଅର୍ଥନୀତି ଦୁର୍ବଳ ରହଛି। କିନ୍ତୁ କରୋନା ମାଡ଼ ସତ୍ୱେ ବି ଦେଶର ଅର୍ଥନୀତିରେ ଏବେ ସୁଧାର ଆସୁଛି। ୨୦୨୦-୨୧ ଜିଡିପି ଗ୍ରୋଥ ରେଟ ନକରାତ୍ମକ ରହିବ। ଜୁନରେ ଲଗାତାର ୪ର୍ଥ ମାସ ପାଇଁ ଭାରତର ବାଣିଜ୍ୟିକ ରପ୍ତାନୀ କମିଛି। ଆର୍ଥିକ ଗତିବିଧିରେ ସୁଧାର ଆରମ୍ଭ ହୋଇଥିଲା କିନ୍ତୁ କରୋନା ମାମଲା ବଢ଼ିବାରୁ ବାଧ୍ୟହୋଇ ଲକଡାଉନ କରିବାକୁ ପଡ଼ିଲା। ଯୋଗାଣ କ୍ଷେତ୍ରରେ ଏବେ ବାଧା ଉପୁଜୁଥିବାରୁ ବିଭିନ୍ନ କ୍ଷେତ୍ରରେ ଦରଦାମ ବଢ଼ିଚାଲିଛି। ଏଥିସହିତ ଜୁଲାଇରୁ ସେପ୍ଟେମ୍ବରରେ ମୁଦ୍ରାସ୍ଫୀତି ଉଚ୍ଚ ରହିବ। ଆର୍ଥିକ ବର୍ଷର ଦ୍ୱିତୀୟ ଭାଗରେ ଦରଦାମ୍ କମିବ ବୋଲି ଶ୍ରୀ ଦାସ କହିଛନ୍ତି।