ମହାମାରୀ ସମୟରେ ସୁଧୁରୁଛି ଅର୍ଥବ୍ୟବସ୍ଥା, କରୋନା ପ୍ରଭାବିତଙ୍କ ପାଇଁ ଲଙ୍ଗଟର୍ମ ଲୋନ ବ୍ୟବସ୍ଥା- ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ,ଏଜେନ୍ସି: କରୋନା ମହାମାରୀର ଦ୍ୱିତୀୟ ଲହର ମଧ୍ୟରେ ଅର୍ଥନୈତିକ ସ୍ଥିରତା ନିଶ୍ଚିତ କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। କରୋନା ମହାମାରୀ ବହୁ ସଂଖ୍ୟକ ଲୋକଙ୍କ ଜୀବିକା ଉପରେ ପ୍ରଭାବ ପକାଇଛି। ଏଭଳି ପରିସ୍ଥିତିରେ କରୋନା ପ୍ରଭାବରୁ ବିଶ୍ୱ ଅର୍ଥନୀତି ଆସ୍ତେ ଆସ୍ତେ ମୁକୁଳୁଛି। ଲୋକଙ୍କ ପାଇଁ ନୂଆ କୋଭିଡ ଲୋନ ବୁକ ପ୍ରକ୍ରିୟା ଆରମ୍ଭ ହୋଇଛି। କରୋନା ପ୍ରଭାବିତଙ୍କ ପାଇଁ ଲଙ୍ଗଟର୍ମ ଲୋନ ବ୍ୟବସ୍ଥା କରାଯାଇଛି। ଛୋଟ ଛୋଟ ବ୍ୟାଙ୍କମାନେ ପ୍ରଭାବିତଙ୍କୁ ଋଣ ଯୋଗାଇ ଦେବେ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି।

ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କୋଭିଡ ପାଇଁ ୧୫,୦୦୦ କୋଟି ଟଙ୍କା ଲିକ୍ୱିଡିଟି ବଜାୟ ରଖିବ। ସେ କହିଛନ୍ତି ଯେ କରୋନା ସହ ଜଡିତ ବିକାଶଶୀଳ ପରିସ୍ଥିତି ଉପରେ ରିଜର୍ଭ ବ୍ୟାଙ୍କ ନଜର ରଖିବ। ଏଥିସହ ଦ୍ୱିତୀୟ ଲହର ଦ୍ୱାରା ପ୍ରଭାବିତ ଦେଶର ନାଗରିକ, ବ୍ୟବସାୟ କ୍ଷେତ୍ର ଏବଂ ଅନୁଷ୍ଠାନଗୁଡ଼ିକ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରିବ।

କରୋନା ବ୍ୟବସାୟିକ କାର୍ଯ୍ୟକଳାପକୁ ସ୍ଥଗିତ ରଖିଛି। ବ୍ୟବସାୟୀମାନେ ଏହିଭଳି ମହାମାରୀ ସ୍ଥିତିରେ କିପରି ସେମାନଙ୍କର ବ୍ୟବସାୟ ବଢାଇବେ ତାହା ଉପରେ ଦୃଷ୍ଟି ରଖିଛନ୍ତି। ଗତ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ବ୍ୟବସାୟିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଏଥିସହିତ ବିଦ୍ୟୁତ ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି। ଭାରତୀୟ ରେଳପଥରେ ମାଲ ପରିବହନ ବୃଦ୍ଧି ପାଇଛି। ଆରବିଆଇ ଗଭର୍ଣ୍ଣର କହିଛନ୍ତି ଡାଲି, ତୈଳବୀଜ ଏବଂ ଅନ୍ୟାନ୍ୟ ଜରୁରୀ ଦ୍ରବ୍ୟର ହାର ବୃଦ୍ଧି ପାଇଛି। କୋଭିଡ କାରଣରୁ ଯୋଗାଣ ଶୃଙ୍ଖଳାର ଭାଙ୍ଗିବା କାରଣରୁ ଏହା ହେଉଛି।

ସେ କହିଛନ୍ତି, ମାର୍ଚ୍ଚରେ ଭାରତର ରପ୍ତାନି ବହୁତ ବୃଦ୍ଧି ପାଇଛି। ଭାରତ ସରକାରଙ୍କ ଆକଳନ ଅନୁଯାୟୀ ଏପ୍ରିଲରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବଜାରରୁ ସରକାରୀ ସିକ୍ୟୁରିଟିକୁ ବହୁତ ଭଲ ପ୍ରତିକ୍ରିୟା ମିଳିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ମୌସୁମୀ ସ୍ଥିତି ଭଲ ହେବ। ଆଇଏମଡି ଅନୁଯାୟୀ ଗ୍ରାମବାସୀ ଏବଂ ସହରର ଆବଶ୍ୟକତା ପୂରଣ କରିବାରେ ମୌସୁମୀ ସଫଳ ହେବ। ଏହାଦ୍ୱାରା ମୁଦ୍ରାସ୍ଫୀତି ହାର ହ୍ରାସ ପାଇବ।