ରାୟଗଡ଼ା,ଏନ୍ଏନ୍ଏସ୍: ଅନ୍ତର୍ଜାତୀୟସ୍ତରରେ ଜିଲ୍ଲା ତଥା ରାଜ୍ୟକୁ ଗୌରାବାନ୍ୱିତ କରିଛନ୍ତି ରାୟଗଡ଼ା ଝିଅ ପ୍ରିତିପ୍ରଭା ସାହୁ। ସମ୍ପ୍ରତି ଦେଶର ଏକମାତ୍ର ଶିକ୍ଷାର୍ଥୀ ରୂପେ ୟୁରୋପୀୟ ଦେଶ ଜର୍ମାନୀର ମ୍ୟୁନିକଠାରେ ପ୍ରତିଷ୍ଠିତ ଏଲ ଏମ ବିଶ୍ୱବିଦ୍ୟାଳୟରେ ଗବେଷକ ରୂପେ କାର୍ଯ୍ୟ କରିବା ପାଇଁ ସୌଭାଗ୍ୟ ଅର୍ଜନ କରିଛନ୍ତି। ପ୍ରୀତିପ୍ରଭା ଶିକ୍ଷା ବିଭାଗରେ କାର୍ଯ୍ୟରତ ପ୍ରଭାକର ସାହୁ ଓ ଶିକ୍ଷକତା କରୁଥିବା ମା’ ସଙ୍ଗିତାକୁମାରୀ ସାହୁଙ୍କ ଏକମାତ କନ୍ୟା । ତେବେ ପ୍ରୀତିଙ୍କ ମା’ଙ୍କ କହିବାନୁଯାୟୀ ଅନୁବଂଶୀୟ ଆଣବିକ ଜୈବ ବିଜ୍ଞାନ ସମ୍ବନ୍ଧରେ ଅଧିକ ଗବେଷଣା କରିବା ସକାଶେ ସୁଶ୍ରୀ ସାହୁ ଗବେଷଣା ପ୍ରବନ୍ଧର ପ୍ରାରମ୍ଭିକ ପରିକଳ୍ପନା ବିଶ୍ୱବିଦ୍ୟାଳୟ ଜୈବ ବିଜ୍ଞାନ ବିଭାଗକୁ ପ୍ରେରଣ କରିଥିଲା। ପରବର୍ତ୍ତୀ ମୁହୁର୍ତ୍ତରେ ଉକ୍ତ ବିଷୟବସ୍ତୁଟି ମନୋନୀତ ହେଲା ପରେ ସୁଶ୍ରୀ ସାହୁ ବ୍ୟକ୍ତିଗତ ସାକ୍ଷାତକାର ପରେ ତାଙ୍କୁ ଏଲଏମ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷଣା ନିମନ୍ତେ ଆମନ୍ତ୍ରଣ ମିଳିଥିବା ଜଣାପଡ଼ିଛି । ସମ୍ପୃକ୍ତ ବିଷୟବସ୍ତୁ ଉପରେ ଗବେଷଣା ନିମନ୍ତେ ବିଶ୍ୱର ବିଭିନ୍ନ ଦେଶରୁ ୧୪ଜଣ ଆଶାୟୀ ଶିକ୍ଷାର୍ଥୀ ଆବେଦନ କରିଥିବାବେଳେ ଭାରତର ଏକମାତ୍ର ଛାତ୍ରୀରୂପେ ପ୍ରୀତିପ୍ରଭା ଏହି ଗୌରବ ହାସଲ କରିଥିବାରୁ ତାଙ୍କୁ ରାୟଗଡ଼ାବୀସଙ୍କ ପକ୍ଷରୁ ପ୍ରଶଂସାର ସୁଅ ଛୁଟିଛି।