ଦୁଇ ଡଙ୍ଗରିଆ ଯୁବତୀଙ୍କୁ ଉଦ୍ଧାର କଲା ପ୍ରଶାସନ

ରାୟଗଡା, ଏନ୍ଏନ୍ଏସ୍ : ଆନ୍ଧ୍ରପ୍ରଦେଶର ବିଜୟନଗର ଠାରେ ଫସି ରହିଥିବା ୨ ଡଙ୍ଗରିଆ ଯୁବତୀଙ୍କୁ ଉଦ୍ଧାର କରିଛି ରାୟଗଡା ଜିଲ୍ଲା ପ୍ରଶାସନ। ସୂଚନ ମୁତାବକ ରାୟଗଡା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ନିର୍ଗୁଣ୍ଡି ଗ୍ରାମର ୨ ଡଙ୍ଗରିଆ ଯୁବତୀ ଆନ୍ଧ୍ରପ୍ରଦେଶ ସିକନ୍ଦରବାଦ ସ୍ଥିତ ହେରସେଲ କମ୍ପାନୀରେ କାମ କରୁଥିଲେ । ଲକ ଡାଉନ ଘୋଷଣା ପରେ କମ୍ପାନୀ ବନ୍ଦ ହୋଇଯାଇଥିଲା। ସେଠାରେ ରହିବା ଏବଂ ଖାଇବା ଅସୁବିଧା ହେବାରୁ ଘର ମୁହାଁ ହେବା ପାଇଁ ଯୁବତୀ ନିଷ୍ପତି ନେଇଥିଲେ। ପଶ୍ଚିମବଙ୍ଗର ଶ୍ରମିକମାନଙ୍କ ସହ ସିକନ୍ଦରବାଦରୁ ଚାଲି ଚାଲି ଆସି ବିଜୟନଗର ପର୍ଯ୍ୟନ୍ତ ଆସିଥିଲେ ।

ସେଠାରୁ ୨ ଯୁବତୀ ପାର୍ସାଲି ସରପଂଚଙ୍କୁ ଫୋନରେ ଯୋଗାଯୋଗ କରି ଘଟଣା ସଂପର୍କରେ ଅବଗତ କରାଇଥିଲେ। ସରପଂଚଙ୍କ ଠାରୁ କଲ୍ୟାଣସିଂହପୁର ବିଡିଓ ଘଟଣା ସଂପର୍କରେ ଜାଣିବା ପରେ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ଅବଗତ କରାଇଥିଲେ। ବିଡିଓଙ୍କୁ ଠାରୁ ସମସ୍ତ ଖବର ଜାଣିବା ପରେ ତୁରନ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ୨ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ। ଜିଲ୍ଲାପାଳଙ୍କ ଠାରୁ ଅନୁମତି ପତ୍ର ନେଇ ଏକ ସ୍ୱତନ୍ତ୍ର କାର ଯୋଗେ ୨ ଯୁବତୀଙ୍କୁ ଉଦ୍ଧାର କରାଯାଇ କେନ୍ଦ୍ରୀୟ ଅଭ୍ୟର୍ଥନା କେନ୍ଦ୍ର ଠକରବାପା ଆଶ୍ରମରେ ରଖାଯାଇଥିଲା ।

ଜିଲ୍ଲାପାଳ ଶ୍ରୀବେହେରାଙ୍କ ନିର୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ଅଭ୍ୟର୍ଥନା କେନ୍ଦ୍ରକୁ ଯାଇ ଉଦ୍ଧାର ହୋଇଥିବା ଯୁବତୀଙ୍କ ସହ ଘଟଣା ସଂପର୍କରେ ଆଲୋଚନା କରିଥିଲେ। ଉଦ୍ଧାର ହୋଇଥିବା ଅନୁସୂଚିତ ଜାତିର ଝିଅ କୁମାରୀ ଟାକ୍ରୀ ଏବଂ ଆଦିମ ଜନଜାତି ଡଙ୍ଗରିଆ ଝିଅ କ୍ରିତି କାଡ୍ରାକାଙ୍କୁ ଖାଦ୍ୟ ପ୍ରଦାନ କରାଯାଇଥିଲା। ସେଠାରୁ ୨ ଜଣଙ୍କୁ ବୁଡାଗୁଡା ଗ୍ରାମ ପଂଚାୟତ ଅଧିନରେ ପରିଚାଳିତ ହେଉଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ନିଆଯାଇଥିଲା। ୨୧ ଦିନ ସଂଗରୋଧ କେନ୍ଦ୍ରରେ ରହିବା ପରେ ନିଜ ନିଜ ଘରକୁ ଫେରିବା ପାଇଁ ଅନୁମତି ଦିଆଯିବା ସହ ଜଣଙ୍କ ପିଛା ୨ ହଜାର ଟଙ୍କା ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀପଣ୍ଡା ପ୍ରକାଶ କରିଥିଲେ ।